ବିଶ୍ୱବ୍ୟାପୀ ଚିନ୍ତା ବଢ଼ାଇଲା ନୂଆ ପ୍ରଜାତି : ଭାରତ ସରକାରଙ୍କ ସତର୍କତା, ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସ୍ୱାନାରୁ ଆସୁଥିବା ଯାତ୍ରୀଙ୍କର କଡାକଡି ହେବ ସ୍କ୍ରିନିଂ

113

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂଆ ପ୍ରଜାତି ସାରା ବିଶ୍ୱରେ ଚିନ୍ତା ବଢାଇ ଦେଇଛି । ଆଉ ଏଇ ନୂଆ ପ୍ରଜାତି ଡେଲଟା ଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି କହିଛନ୍ତି ଦକ୍ଷିଣ ଆଫ୍ରିକାର ବିଶେଷଜ୍ଞ । ଦକ୍ଷିଣ ଆଫ୍ରିକା ସମେତ ହଂକଂ, ବୋସ୍ୱାନା ଓ ବେଲଜିୟମରେ ମଧ୍ୟ ଏହି ନୂଆ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଏନେଇ ଅନୁଧ୍ୟାନ ଚାଲିଛି, ଏହା କେତେ ମାତ୍ରାରେ ପ୍ରଭାବ ପକାଇବ, ଆଉ କିଛି ସପ୍ତାହ ପରେ ଜଣାପଡିବ ।

ସେପଟେ ଫ୍ରାନ୍ସ, ବ୍ରିଟେନ୍, ଇସ୍ରାଏଲ ଭଳି ଦେଶ ଦକ୍ଷିଣ ଆଫ୍ରିକାକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି । ଭାରତ ମଧ୍ୟ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିଛି । ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବା ସହ କରୋନା ପରୀକ୍ଷା କରାଯିବ । ଯେଉଁମାନେ ପଜିଟିଭ୍ ଚିହ୍ନଟ ହେବେ ସେମାନଙ୍କ ଜେନମ୍ ସିକ୍ୱୁଏନ୍ସିଂ ପାଇଁ ତୁରନ୍ତ ପଠାଇବାକୁ କୁହାଯାଇଛି । ଏପଟେ କରୋନାର ନୂଆ ପ୍ରଜାତିକୁ ନେଇ ଓଡ଼ିଶାବାସୀଙ୍କୁ ସତର୍କ କରାଇଛନ୍ତି ଡିଏମଇଟି ଡକ୍ଟର ରମାରମଣ ମହାନ୍ତି ।

ୟୁରୋପ ଏବେ ପୁଣିଥରେ କରୋନା ମହାମାରୀର କେନ୍ଦ୍ରସ୍ଥଳ ପାଲଟିଛି । ୟୁ‌ରୋପ‌ରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ୁଛି । ଏବେ ୟୁରୋପରେ କରୋନାର ନୂ୍ଆ ପ୍ରଜାତି ବି.୧.୧.୫୨୯ ଚିହ୍ନଟ ହୋଇଛି । ୟୁରୋପର ବେଲ୍‌ଜିୟମରେ ଏହି ମାମଲା ଚିହ୍ନଟ ହୋଇଥିବା ଘୋଷଣା ହୋଇଛି । ନଭେମ୍ବର ୨୨ ତାରିଖ‌ରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେ ପୂର୍ବରୁ କରୋନାରେ ସଂକ୍ରମିତ ହୋଇନାହାନ୍ତି। ନଭେମ୍ବର ୧୧ ତାରିଖରେ ସେ ଇଜିପ୍ଟରୁ ଫେରିଥିଲେ । ୟୁରୋପରେ ଏବେ ସଂକ୍ରମଣ ମାଡ଼ି ଚାଲିଥିବାବେଳେ ଏହି ନୂଆ ପ୍ରଜାତି ଚିନ୍ତା ବଢ଼ାଇଛି ।

ସେହିପରି ଜର୍ମାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୭୬,୪୧୪ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଗତକାଲି ସଂକ୍ରମଣ ମାମଲା ୭୫,୯୬୧ ଥିଲା । ଜର୍ମାନୀରେ ମୋଟ୍‌ ସଂକ୍ରମଣ ମାମଲା ୫,୬୫୦,୧୭୦ରେ ପହଞ୍ଚିଛି । ଜର୍ମାନୀରେ ଏବେ କୋଭିଡ୍‌ର ଚତୁର୍ଥ ଲହର ଚାଲିଛି ଏବଂ ବ୍ୟାପକ ସତର୍କତା ପଦକ୍ଷେପ ସତ୍ତ୍ବେ ସଂକ୍ରମଣ ଅତି କ୍ଷୀପ୍ର ଗତିରେ ମାଡ଼ିଚାଲିଛି । ଜର୍ମାନୀରେ ଗତ ୨୪ ଘଣ୍ଟାରେ ୩୫୭ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁସଂଖ୍ୟା ୧୦୦,୪୭୬ରେ ପହଞ୍ଚିଛି ।