ଆଜିଠୁ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ: ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଫେବ୍ରୁଆରି ୨ ଯାଏଁ ଦିଆଯିବନି ଟିକା; ରାଜ୍ୟର ୪୧ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା

84

କନକ ବ୍ୟୁରୋ: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି୨ ତାରିଖ ଯାଏଁ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତମାସ ୧୬ତାରିଖଠାରୁ ୩ଦିନ ବ୍ୟାପୀ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ମାତ୍ର ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭ ହେବା ପରେ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ତେବେ ଆଜିଠାରୁ ପୋଲିଓ ବୁନ୍ଦା ଦିଆଯିବ। ୫ବର୍ଷରୁ କମ୍ ଶିଶୁ ଏହି ବୁନ୍ଦା ଦିଆଯିବା। ରାଜ୍ୟବ୍ୟାପୀ ୪୧,୩୧,୭୬୩ ଶିଶୁଙ୍କୁ ଏହି ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୟୁନିଟ୍‌-୪ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ଶନିବାର ରାଜ୍ୟରେ ୬୨.୨ ପ୍ରତିଶତ ଟିକାକରଣ କରାଯାଇଛି। ସମୁଦାୟ ୧୩ଟି ଅଧିବେଶନରେ ୧୯୬୭ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ହୋଇଥିବା ବେଳେ ୧୨ଟି ଅଧିବେଶନରେ ୧୨୨୪ସ୍ୱାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଖୋର୍ଧା, ନୂଆପଡ଼ା ଓ ସମ୍ବଲପୁରରେ ହିଁ ଅଧିବେଶନ ଆୟୋଜିତ ହୋଇଥିଲା। ଖୋର୍ଧା ଜିଲ୍ଲାରେ ଭୁବନେଶ୍ବରରେ ୮ଟି ଅଧିବେଶନରେ ୯୩୨ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨ଲକ୍ଷ ୬ହଜାର ୪୨୪ ସ୍ୱାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି।

ଅପରପକ୍ଷରେ ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀମାନେ ଟିକା ନେବାକୁ ଅମଙ୍ଗ ହେଉଥିବା ନଜରକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ି ଯାଇଛି। ଆସନ୍ତା ୧୦ତାରିଖ ସୁଦ୍ଧା ପ୍ରଥମ ଡୋଜ୍ ‌ଶେଷ ହେବା ପୂର୍ବରୁ ଶତ ପ୍ରତିଶତ ଟିକାକରଣ କରିବା ଲାଗି ଭୁବନେଶ୍ବର ବାଦ୍ ୮ଟି ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଦିଆଯାଇଛି। ରାଜ୍ୟରେ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୧ଟି ଡିପ୍ ଫ୍ରିଜର ଯୋଗାଇ ଦିଆଯାଇଛି। ଏସବୁ ଡିପ୍‌ ଫ୍ରିଜରଗୁଡ଼ିକୁ ସବୁ ଜିଲ୍ଲାକୁ ପଠାଯିବା ବ୍ୟବସ୍ଥା ଜାରି ରହିଛି। ଟିକାକୁ ସଂରକ୍ଷିତ ରଖିବା ଦିଗରେ ଏହା ସହାୟକ ହେବ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟିକା ସଂରକ୍ଷଣ ପାଇଁ ଆଇଏଲ୍‌ଆର୍‌ ଦିଆଯାଇଥିଲା।