କନକ ବ୍ୟୁରୋ: କୋଭିଡ୍ ଟୀକା କାରଣରୁ ଦେଶରେ ବଢୁଛି କି ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ? ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆରର ଏକ ଗବେଷଣାରୁ ଏମିତି କିଛି ତଥ୍ୟ ଆସିଛି, ଯାହା ଆପଣଙ୍କୁ ଜାଣିରଖିବା ନିହାତି ଆବଶ୍ୟକ । କୋଭିଡ୍ ଟିକାକରଣ ହେବା ପରଠାରୁ ଦେଶରେ ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ ହେଉଥିବା ଖବର ପ୍ରସାରିତ ହେବାରେ ଲାଗିଥିଲା । ଏହାପରେ ଆଇସିଏମଆର ଏନେଇ ଗବେଷଣା କରିବା ପରେ, ଏହି ତଥ୍ୟ ସମ୍ପୂର୍ଣ୍ଣ ଭାବେ ଭୁଲ ବୋଲି ଦର୍ଶାଇଛି ।

Advertisment

ଆଇସିଏମଆର ସାରା ଦେଶରୁ ୧୮ରୁ ୪୫ ବର୍ଷ ବୟସ୍କ କିଛି ମୃତ ଲୋକଙ୍କ ଉପରେ ଏହି ଗବେଷଣା କରିଥିଲା । ଏହି ଗବେଷଣାରେ କେବଳ ୨୦୨୧ ମସିହା ଅକ୍ଟୋବର ମାସର ୨୦୨୩ ମସିହା ମାର୍ଚ୍ଚ ମାସ ମଧ୍ୟରେ ଅକସ୍ମାତ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମିଲ କରାଯାଇଥିଲା । ଏହି ଲୋକମାନେ କୋଭିଡ୍ ଟିକାକରଣ ହେତୁ ମୃତ୍ୟୁବରଣ କରିଛନ୍ତି, ନା ସେମାନଙ୍କ ମୃତ୍ୟୁର କାରଣ ଅନ୍ୟ କିଛି ସେନେଇ ଯାଞ୍ଚ କରିଥିଲା ଆଇସିଏମଆର । ଏହାପରେ ଜଣାପଡିଥିଲା ଯେ, ଦେଶରେ କୋଭିଡ୍ ଟିକାକରଣ ହେତୁ ଯୁବକମାନଙ୍କର ଅକସ୍ମାତ ମୃତ୍ୟୁରେ କୌଣସି ବୃଦ୍ଧି ଘଟିନାହିଁ ।

ଏହି ଗବେଷଣାରେ ମୋଟ ୭୨୯ ଲୋକଙ୍କ ମାମଲାକୁ ଦେଖାଯାଇଥିଲା । ଏହି ଲୋକମାନେ ଗୁରୁତର କରୋନା ରୋଗରେ ପୀଡିତ ଥିଲେ । ଏହି ଲୋକମାନଙ୍କର ମେଡିକାଲ ହିଷ୍ଟ୍ରି, ଧୂମ୍ରପାନ, ମଦ ପିଇବା ଏବଂ ଶାରିରୀକ ଗତିବିଧି କେମିତି ରହିଥିଲା ସେନେଇ ତଥ୍ୟ ସଂଗ୍ରହ କରାଯାଇଥିଲା । ତା ସହିତ ସେମାନଙ୍କୁ କେଉଁ କୋଭିଡ୍ ଟିକା ଦିଆଯାଇଥିଲା ସେନେଇ ମଧ୍ୟ ଯାଞ୍ଚ କରାଯାଇଥିଲା । ଏହାପରେ ଆଇସିଏମଆର ଏହି ତଥ୍ୟ ଦେଇଛି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ଦେଶରେ ଯୁବକମାନଙ୍କର ଅକସ୍ମାତ ମୃତ୍ୟୁ ବଢିବାରେ ଲାଗିଥିଲା । ଯାହାପରେ ଆଇସିଏମଆର ଏନେଇ ଯାଞ୍ଚ ଆରମ୍ଭ କରିଥିଲା । କୋଭିଡ୍ ଟିକାକରଣ ହେତୁ, ଏହି ମୃତ୍ୟୁ ହେଉନଥିବା ଆଇସିଏମଆର ପକ୍ଷରୁ ସ୍ପଷ୍ଟ କରାଯାଇଛି ।