ଆଜି ଓଡିଶାରେ ଟୀକା ନେଲେ ୩୨ ହଜାର ୫୨୬ ଜଣ । ମାତ୍ର ୨ ଜଣଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା । ଜାଣନ୍ତୁ ଆଜି କେଉଁଠି ନେଲେ କେତେ ଟୀକା ?

279

କନକ ବ୍ୟୁରୋ: କରୋନା ଟୀକାକରଣ କାର୍ଯ୍ୟକ୍ରମର ୩ୟ ଦିବସରେ ସାରା ଓଡ଼ିଶାରେ ମୋଟ ୩୭୫ଟି ଟୀକାକରଣ ସେସନ ଅନୁଷ୍ଠିତ ହୋଇଛି । ଆଜି ୩୧୯୦୨ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୩୨୫୨୬ ଜଣ ଲୋକ ଟୀକା ନେଇଥିଲେ । ଫଳରେ ଆଜି ୧୦୨ ପ୍ରତିଶତ ଟୀକାକରଣ କରାଯାଇଛି । ଆଜି ଟୀକା ନେଇଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରେ କିଛିଟା ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ବାଲେଶ୍ବର ଓ ନବରଙ୍ଗପୁର ଜିଲ୍ଲାର ଜଣେ ଲେଖାଏଁ ଲୋକଙ୍କ ଶରୀରରେ  ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି ।

ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ୧୦୦ ପ୍ରତିଶତ ଟୀକାକରଣ  ଅଧିବେଶନ ହୋଇଥିବାବେଳେ ଅନୁଗୁଳରେ ୭୫ ପ୍ରତିଶତ ଓ କେନ୍ଦୁଝରରେ ୮୩ ପ୍ରତିଶତ ଅଧିବେଶନ ହୋଇଥିଲା । ତେବେ ଜିଲ୍ଲା ମାନଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩୭୬୧ ଜଣ ଟୀକା ନେଇଥିଲେ । ନୂଆପଡ଼ାରେ ସର୍ବନିମ୍ନ ୧୨୪ ଜଣ ଟିକା ନେଇଥିଲେ । ଅନ୍ୟପକ୍ଷରେ ଭୁବନେଶ୍ବରରେ ଆଜିର ଟୀକାକରଣ କାର୍ଯ୍ୟକ୍ରମ କିଛିଟା ନୈରାଶ୍ୟଜନକ ଥିଲା । ଆଜି ପ୍ରାୟ ୨୮୬୪ ଜଣ ଟୀକା ନେବାକୁ ଥିବାବେଳେ ମାତ୍ର ୧୯୪୭ ଜଣ ଟୀକା ନେଇଥିଲେ । ଫଳରେ ଟୀକାକରଣ ଲକ୍ଷ୍ୟର ୬୮ ପ୍ରତିଶତ ହାସଲ ହୋଇଛି ।