ଭାରତ ଭଳି ପାକିସ୍ତାନର ବି ତବଲିଘି ଜମାତ ଚିନ୍ତା । ସମାବେଶରୁ ବଢ଼ିଲା ସଂକ୍ରମଣ ବୋଲି ନେତାଙ୍କ ଦାବି, ପଢ଼ନ୍ତୁ କ’ଣ ରହିଛି ପୂରା ଘଟଣା ।

952

କନକ ବ୍ୟୁରୋ: ଭାରତ ପରେ ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢାଇ ଦେଇଛି ତବଲିଘି ଜମାତ । ପାକିସ୍ତାନରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କରିବା ପଛରେ ପ୍ରମୁଖ କାରଣ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନର ଏହି ଧାର୍ମିକ ସମାବେଶ । କଂଗ୍ରେସ ନେତା ମନିଷ ତିୱାରୀ ଟ୍ୱିଟ୍ କରି ଏନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ପାକିସ୍ତାନ, ପଂଜାବ ପ୍ରୋଭିନ୍ସର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟକୁ ନେଇ ଟ୍ୱିଟ୍ କରି ଏଭଳି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ବଢାଇ ଦେଇଛି ତବଲିଘି ଜମାତର ଧାର୍ମିକ ସମାବେଶ । ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୩୦ ପ୍ରତିଶତ ତବଲିଘି ସହ ସଂପୃକ୍ତ । ସମାନ ଢଙ୍ଗରେ ପାକିସ୍ତାନରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି କରିବାରେ ପ୍ରମୁଖ କାରଣ ପାଲଟିଛି ଏହି ଧାର୍ମିକ ଗୋଷ୍ଠୀ । ଏନେଇ ଟ୍ୱିଟ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ । କାରଣ ତବଲିଘି ଜମାତ ମଧ୍ୟ ପାକିସ୍ତାନର ସମସ୍ୟା ବଢାଇ ଦେଇଛି । ଏହି ଟ୍ୱିଟ ସହିତ ସେ ପାକିସ୍ତାନ ପଂଜାବ ପ୍ରୋଭିନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଯାସମିନ ରଶିଦଙ୍କ ଏକ ସାକ୍ଷାତକାର ଭିଡିଓ ସଂଯୋଗ କରିଛନ୍ତି । ଯେଉଁଥିରେ ସେ ପାକିସ୍ତାନରେ କରୋନା ମାମଲା ବୃଦ୍ଧି ପାଇଁ ତବଲିଘି ଜମାତକୁ ଦାୟୀ କରିଛନ୍ତି ।

– ବର୍ତ୍ତମାନ ସୁଦ୍ଧା ମୋଟ୍ ୨୦୦୪ଟି କରୋନା ସଂକ୍ରମଣ ମାମଲା ଆସିଛି
– ସେଥିମଧ୍ୟରୁ କେବଳ ୧୩୧୪ ମାମଲା ତବଲିଘି ଜମାତ ସହ ସଂପୃକ୍ତ
– ତବଲିଘିର ଧାର୍ମିକ ସମାବେଶରୁ ଫେରି ୫୪୯ ଜଣ କରୋନା ସଂକ୍ରମିତ
– ଏହାବାଦ ତବଲିଘି ଜମାତର ୧୦ ହଜାର ଲୋକ ସଂଗରୋଧରେ ଅଛନ୍ତି
– ଏମାନଙ୍କ ନମୁନା ପରୀକ୍ଷା ହେଲେ ୩୫ରୁ ୪୦ ପ୍ରତିଶତ ପଜିଟିଭ ଆସିପାରେ

ଡିସେମ୍ବରରେ ଉହାନରେ କରୋନା ସଂକ୍ରମଣ ଆରମ୍ଭ ହେଲା । ଏହା ନିୟନ୍ତ୍ରଣ ହରାଇ ଚୀନ ସୀମା ଡେଇଁଲା ବେଳକୁ ସତର୍କ ହୋଇସାରିଥିଲେ ଅନ୍ୟାନ୍ୟ ଦେଶ । ହେଲେ ସାମାଜିକ ଦୂରତା ପ୍ରତି ଆଖି ବୁଜିଦେଇଥିଲା ପାକିସ୍ତାନ ।

ଫେବ୍ରୁଆରୀ ଶେଷ ବେଳକୁ ଇରାନରେ ବନ୍ଦ ହୋଇଯାଇଥିଲା ସାପ୍ତାହିକ ପ୍ରାର୍ଥନା । ସାଉଦି ଆରବରେ ବି ବାତିଲ ହୋଇସାରିଥିଲା ପର୍ଯ୍ୟଟନୀ ଉତ୍ସବ । ହେଲେ ପାକିସ୍ତାନରେ ଆୟୋଜନ ହୋଇଥିଲା ଲବଲିଘି ଜମାତର ଧାର୍ମିକ ସମାବେଶ । ୧୨ ମାର୍ଚ୍ଚରେ ଏହା ବାତିଲ ହେଲାବେଳକୁ ଯୋଗ ଦେଇସାରିଥିଲେ ପ୍ରାୟ ଅଢେଇ ଲକ୍ଷ ଲୋକ । ହେଲେ ବଡକଥା ହେଉଛି ଫେବ୍ରୁଆରୀ ବେଳକୁ ପାକିସ୍ତାନରେ କରୋନା ଆକ୍ତାନ୍ତଙ୍କ ରିପୋର୍ଟ ଆସିସାରିଥିଲା । ଏଥିରେ ବିଶ୍ୱର ବିିଭିନ୍ନ ଦେଶର ଧର୍ମ ପ୍ରଚାରକ ଓ ମୌଲବୀ ଯୋଗ ଦେଇଥିଲେ । କୁହାଯାଉଛି ପାକିସ୍ତାନରେ କରୋନା ସଂକ୍ରମଣ ଆରମ୍ଭ ହୋଇସାରିଥିଲେ ମଧ୍ୟ ଧାର୍ମିକ ସମାବେଶ ପାଇଁ ଅନୁମତି ଦିଆଗଲା । ଆଉ ଯେତେବେଳେ ସମାବେଶ ବାତିଲ ହେଲା, ତାହା କରୋନା ଯୋଗୁଁ ନୁହେଁ, ବରଂ ଖରାପ ପାଗ ଯୋଗୁଁ ।