ବଜ୍ରକାପ୍ତାର ହେବ କରୋନା ପରୀକ୍ଷା । ଆଠଗଡରେ ସଂଗରୋଧ କେନ୍ଦ୍ରରୁ ଉଦ୍ଧାର ବଜ୍ରକାପ୍ତାର କୋଭିଡ ଟେଷ୍ଟ ହେବ । ଜଙ୍ଗଲରେ ଛାଡିବା ପୂର୍ବରୁ ନମୂନା ପରୀକ୍ଷା ପାଇଁ ବନ ବିଭାଗର ନିଷ୍ପତ୍ତି

404

କନକ ବ୍ୟୁରୋ: ବଜ୍ରକାପ୍ତାର ହେବ କୋଭିଡ ଟେଷ୍ଟ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଆଠଗଡରୁ ଏହି ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । କିନ୍ତୁ ଉଦ୍ଧାର କରାଯାଇଥିବା ସ୍ଥାନ ବଡମ୍ବା ମହୁଲିଆର ସଂଗରୋଧ କେନ୍ଦ୍ର ଭିତରେ ଆସୁଛି । ତେଣୁ ବଜ୍ରକାପ୍ତାର କୋଭିଡ୍ ଟେଷ୍ଟ କରାଯିବ । ବଡମ୍ବା ମହୁଲିଆ ପଂଚାୟତର ସରପଂଚଙ୍କ ସୂଚନା ଅନୁସାରେ ବନ ବିଭାଗର ଅଧିକାରୀମାନେ ଏହାକୁ ଉଦ୍ଧାର କରିଥିଲେ ।

ତେବେ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ଥିବା ବେଳେ ଏହି ବଜ୍ରକାପ୍ତା ଚର୍ଚ୍ଚାର ବିଷୟ ପାଳଟିଥିଲା । ପିମ୍ପୁଡି ଖାଉଥିବା ଏହି ସ୍ତନ୍ୟପାୟୀ ପ୍ରାଣୀଠାରୁ କରୋନା ଭୂତାଣୁ ବ୍ୟାପିଥାଇ ପାରେ ବୋଲି ଚର୍ଚ୍ଚାକୁ ଆସିଥିଲା । ପ୍ରଥମେ ବାଦୁଡି ଓ ଏହା ପରେ ବଜ୍ରକାପ୍ତା ଦେଇ ମଣିଷ ଦେହରେ କରୋନା ଭୂତାଣୁ ପ୍ରବେଶ କରିଥାଇପାରେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରମାଣ ଏଯାଏଁ ମିଳିନାହିଁ ।

ଆଠଗଡର ଏହି ଅଂଚଳରେ ବଜ୍ରକାପ୍ତା ଅନେକ ସମୟରେ ଉଦ୍ଧାର କରାଯାଏ । ଆଜି ପୁଣି ବଜ୍ରକାପ୍ତା ଏହି ଅଂଚଳରୁ ମିଳିଛି । ଏବଂ ସଙ୍ଗରୋଧ କେନ୍ଦ୍ରରୁ ଏହାକୁ ଉଦ୍ଧାର କରାଯାଇଥିବାରୁ ଏହାର କୋଭିଡ୍ ଟେଷ୍ଟ ପାଇଁ ସ୍ୱାବ୍ ନମୁନା ନିଆଯାଇଛି । ତେବେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବଜ୍ରକାପ୍ତାକୁ ଡିଏଫଓ ସସ୍ମିତା ଲେଙ୍କା ଛୁଇଁଥିବାରୁ ତାଙ୍କର ମଧ୍ୟ କୋଭିଡ୍ ଟେଷ୍ଟ କରାଯାଇପାରେ । ଏନେଇ ଜଣେ ବରିଷ୍ଠ ଜିଲ୍ଲା ପ୍ରଶାସନିକ ଅଧିକାରୀ କହିଛନ୍ତି, ଯଦି ବଜ୍ରକାପ୍ତାର କୋଭିଡ ଟେଷ୍ଟ କରାଯିବ, ତେବେ ଡିଏଫଓଙ୍କର କାହିଁକି କରାନଯିବ ।