ମେ’ ୨୪ରୁ ଘରକୁ ଘର ବୁଲି ହେବ କରୋନା ସର୍ଭେ : ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ

167

କନକ ବ୍ୟୁରୋ : ୨୪ ମେ’ ରୁ ଘରକୁ ଘର ବୁଲି କରୋନା ସର୍ଭେ ହେବ । ୩ ମାସ ପାଇଁ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ । ଏଥିପାଇଁ ମାସିକ ହଜାରେ ଟଙ୍କା ଲେଖାଁଏ ମିଳିବ ପ୍ରୋତ୍ସାହନ । ସେହିଭଳି ସଂରପଚଙ୍କୁ ବି ଜିଲ୍ଲାପାଳ କ୍ଷମତା ଦିଆଯାଇଛି । ଗାଁରେ ଲକଡାଉନ ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ଟିଏମସି ସମ୍ପର୍କରେ ସଂରପଚମାନେ ପରିସ୍ଥିତିକୁ ଦେଖି ନିଷ୍ପତି ନେବେ ।

ସେହିଭଳି କୋଭିଡରେ ମୃତକଙ୍କ ବିଧବା ଓ ବାପା ମାଙ୍କୁ ହରାଇଥିବା ପିଲାଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ । ଏହାସହ ସେମାନଙ୍କୁ ମାଗାଣ ଶିକ୍ଷା ଦିଆଯିବ । ଏହାଛଡା ଅକ୍ସିଜେନ ଯୋଗାଣରେ ସୁପରିଚାଳନା ପାଇଁ ଗଠନ ହେବ ଟାସ୍କଫୋର୍ସ ଓ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ । କେଭିଡ ନେଇ ବସିଥିବା ସର୍ବଦଳୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବାତସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରଶାସନ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଦେଶର ଅନ୍ୟ ଭାଗର ଘଟଣା ଉପରେ ନଜର ରଖିବା ସହ ସେମାନଙ୍କ ଅଭିଜ୍ଞତା ଭିତିରେ ଆଗୁଆ ପଦକ୍ଷେପ ନେଇଛି ।

ଲୋକଙ୍କୁ ସତର୍କ କରି ନବୀନ ପଟ୍ଟନାୟକ କହିଛନ୍ତି, ହୁଏତ ଆଗକୁ କୋଭିଡର ଅନେକ ଲହର ଆସିପାରେ । ତେଣୁ ଆମକୁ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ପଡିବ । କରୋନା ବିରୋଧରେ ସଫଳ ଲଢେଇ ପାଇଁ ଟିକାକରଣ ମୁଖ୍ୟ ରଣକୌଶଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଶୀଘ୍ର ଟିକାକରଣ ପାଇଁ ବିଶ୍ୱବଜାରରୁ ଟିକା କିଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ ସଚେତନତାର ବାର୍ତା ଲୋକଙ୍କ ପାଥରେ ପଂହଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି । ଏହାସହ ମାସ୍କ ବାଂଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଯାଏଁ ଖର୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ବିଧାୟକମାନେ ସୁଚିନ୍ତିତ ମତାମତ ଦେଇଛନ୍ତି ।