ଜିଲ୍ଲାରୁ ଜିଲ୍ଲା ଡେଉଁଛି କରୋନା ସଂକ୍ରମଣ । ନୂଆପଡା ଦେଖାଇଲା ଭୂତାଣୁର ନାଲିଆଖି । ଗୋଟିଏ ଗାଁରୁ ୨୯ ଚିହ୍ନଟ ପରେ ବଢିଲା ଭୟ ।

540

କନକ ବ୍ୟୁରୋ: ଜିଲ୍ଲାରୁ ଜିଲ୍ଲା ଡେଉଁଛି କରୋନା ସଂକ୍ରମଣ । ଓଡିଶାର ଚିନ୍ତା ବଢାଇଲା ନୂଆପଡା ଜିଲ୍ଲା । କରୋନା ସଂକ୍ରମଣ ନେଇ ନାଲି ଆଖି ଦେଖାଇଲାଣି ନୂଆପଡା । ଆଜି ଗୋଟିଏ ଦିନରେ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟ ବଢିଛି ।

ବଡକଥା ହେଉଛି ସିନାପାଲି ସ୍ଥିତି ସାଙ୍ଘାତିକ ହୋଇଛି । ସିନାପାଲିର ବ୍ରାହ୍ମଣପଡାରେ ସର୍ବାଧିକ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଏହି ସୂଚନା ଦେଇଛନ୍ତି ଜିଲ୍ଲା କୋଭିଡ ଅଧିକାରୀ ।  ୨୯ ଜଣଙ୍କ ମଧ୍ୟରେ ୧୬ ଜଣ  ମହିଳା  ଓ ୧୩ ଜଣ ପୁରୁଷ ଅଛନ୍ତି । ସେହିଭଳି କୋମନାରେ ୨ ଜଣ, ଖଡିଆଳ ଓ  ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଆଜି ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ନୂଆପଡା ସଂକ୍ରମଣରେ ଉପରେ ରହିଛି । ଦିନକରେ ୩୩ ବାହାରିଥିବା ବେଳେ ସେପଟେ ନବରଙ୍ଗପୁରରେ କାଲିଠୁ ନାଇଟ କର୍ଫ୍ୟୁ ଲାଗୁ ହେବ । ଆସନ୍ତାକାଲି ରାତି ୮ଟାରୁ ସକାଳ ୬ଟା ଯାଏଁ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ ।  ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘୋଷଣା ହୋଇଛି ।  ଏହି ସମୟରେ କିନ୍ତୁ ଅତ୍ୟାବଶ୍ୟକ ସେବା ଜାରି ରହିବ । ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ।

ଧାର୍ମିକ କାର୍ଯ୍ୟକ୍ରମ, ବିବାହ ଭୋଜି ଉପରେ କଟକଣା ଲାଗୁ କରାଯାଇଛି । ବିବାହ ବରଯାତ୍ରୀ, ଅପେରା ଓ ରାଜନୈତିକ ରାଲି  ହୋଇପାରିବ ନାହିଁ ବୋଲି ନବରଙ୍ଗପୁର ଜିଲ୍ଲା ପ୍ରଶାସନ କଡା ନିର୍ଦ୍ଦେଶ ଜାରି କରିଛି । କୌଣସି କଲ୍ୟାଣ ମଣ୍ଡପରେ ଭୋଜି କିମ୍ବା ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସେପଟେ ଆଜି କଟକରୁ ୨୩ ଓ ଖୋର୍ଦ୍ଧାରୁ ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୭ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ଜଣେ, ବଲାଙ୍ଗୀରରୁ ୫ ଜଣ ଏମିତି ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତେଣୁ ସମସ୍ତେ ସତର୍କ ରୁହନ୍ତୁ । କରୋନା ମାଡି ମାଡି ଚାଲିଥିବା ବେଳେ ମାସ୍କ, ସାନିଟାଇଜର ବ୍ୟବହାର କରନ୍ତୁ । ଭିଡକୁ ଆଦୌ ଯାଆନ୍ତୁ ନାହିଁ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।