ଦେଶରେ ବିଭିନ୍ନ ସ୍ଥାନରୁ ଆସୁଛି କରୋନାର ବିକଳ ଚିତ୍ର । ଦିଲ୍ଲୀରୁ ମହାରାଷ୍ଟ୍ର ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍ ।

ଡାକ୍ତରଖାନା ଆଗରେ ଘଂଟା ଘଂଟା ଧାଡିରେ ଆମ୍ବୁଲାନ୍ସରେ ଅପେକ୍ଷା କରୁଛନ୍ତି ରୋଗୀ

224

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଏତେ ତୀବ୍ର ଓ ଘାତକ ବନିବ କେହି କେବେ ହେଲେ ଭାବିନଥିଲେ । ଗତ ୨୪ ଘଂଟାରେ ଦେଶରେ ଦୈନିକ ନୂଆ ପଜିଟିଭ୍ ସଂଖ୍ୟା ୨ ଲକ୍ଷ ୩୪ ହଜାର ଅତିକ୍ରମ କରିଛି । ଏହାରି ଭିତରେ ଦେଶରେ କିଛି ରାଜ୍ୟରେ କରୋନା ସ୍ଥିତି ଅତି ଭୟଙ୍କର ହେଲାଣି । ଦିଲ୍ଲୀରେ ରୋଗୀଙ୍କ ପାଇଁ ବେଡ୍ ମିଳୁନି । ଅହମ୍ମଦାବାଦରେ ଆଂବୁଲାନ୍ସର ଘଂଟା ଘଂଟା ଧରି ଡାକ୍ତରଖାନାରେ ଭର୍ତି ହେବାକୁ ଅପେକ୍ଷା କରୁଛନ୍ତି ରୋଗୀ । ଛତିଶଗଡରେ ଅକ୍ସିଜେନ୍ ମିଳୁନି ରୋଗୀଙ୍କ ପାଇଁ । ଲକ୍ଷ୍ନୌରେ ଗତ କିଛି ଦିନ ଧରି ମଶାଣୀରୁ ଚିତା ଲିଭୁନି ।

କରୋନାର ଦ୍ୱିତୀୟ ଲହରର ସ୍ଥିତି କେତେ ଭୟଙ୍କର , ତାହା ଏଥିରୁ ସ୍ପଷ୍ଟ ହେଉଛି ଦେଶରେ ଉପରମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ଦେଶରେ ୨ ଲକ୍ଷ ୩୪ ହଜାର ୬୯୨ ନୂଆ ମାମଲା ସାମ୍ନାକୁ ଆସିଛି । ୧ ହଜାର ୩୪୧ ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ଦିଲ୍ଲୀର ଜୟପ୍ରକାଶ ନାରାୟଣ ହସ୍ପିଟାଲ ବାହାରେ ଲାଗିଛି ଆମ୍ବୁଲାନ୍ସର ଲଂବା ଲାଇନ୍ । ଏପଟେ ଭିତରେ ରୋଗୀଙ୍କ ପାଇଁ ବେଡ୍ ନାହିଁ । କିନ୍ତୁ ଅକ୍ସିଜେନ୍ ନଲାଗିଲେ ଗୁରୁତର ରୋଗୀ ଆଖି ବୁଜିଦେବ । ଏପରି ସ୍ଥିତିରେ ଆଇସିୟୁ ଏବଂ କୋଭିଡ ୱାର୍ଡରେ ଗୋଟିଏ ବେଡରେ ଅଛନ୍ତି ଦୁଇ ଜଣ ଲେଖାଏଁ ରୋଗୀ ଏବଂ ମୁହଁରେ ଲାଗିଛି ଅକ୍ସିଜେନ୍ । ୧୫ ଶହ ରୋଗୀଙ୍କ ପାଇଁ ବେଡ୍ ରହିଥିଲେ ମଧ୍ୟ , ହସ୍ପିଟାଲରେ ଏବେ ଆବଶ୍ୟକତାର ଦୁଇ ଗୁଣ ରୋଗୀ ଭର୍ତି ହୋଇ ସାରିଲେଣି । ଏହା ହିଁ ସ୍ପଷ୍ଟ କରୁଛି ଦିଲ୍ଲୀରେ ସ୍ଥିତି କେତେ ଗମ୍ଭୀର ।

ଗୁଜରାଟରେ ମଧ୍ୟ କରୋନା ସ୍ଥିତି ବେକାବୁ । ଅହମ୍ମଦାବାଦରେ ସ୍ଥିତି ଅତି ଗଂଭୀର । ଅହମ୍ମଦାବାଦ ସିଭିଲ ହସ୍ପିଟାଲ ବାହାରେ ଲାଗିଛି ଆଂବୁଲାନ୍ସର ଲଂବା ଲାଇନ୍ । ସମସ୍ତ ଆଂବୁଲାନ୍ସ ଭିତରେ ଜୀବନ ସହିତ ସଂଘର୍ଷ କରୁଛନ୍ତି କରୋନା ରୋଗୀ । ଗୋଟିଏ ଆଂବୁଲାନ୍ସ ହସ୍ପିଟାଲ ଭିତରୁ ବାହାରକୁ ଆସିଲେ , ଆଉ ଜଣେ ରୋଗୀ ଯିବ ଭିତରକୁ । ଡାକ୍ତରଖାନାରେ ଭର୍ତି ହେବାକୁ ଏପଟେ ଅକ୍ସିଜେନ୍ ଲଗାଇ ଘଂଟା ଘଂଟା ଅପେକ୍ଷା କରୁଛନ୍ତି ରୋଗୀ ଓ ରୋଗୀଙ୍କ ସଂପର୍କୀୟ ।

ସେପଟେ ଛତିଶଗଡରେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନି । ଏହାରି ଭିତରେ କରୋନା ମୃତ୍ୟୁ ସଂଖ୍ୟା ଏପରି ଆସୁଛି ଯେ ଦାହ ସଂସ୍କାର ପାଇଁ ଶବକୁ ଧାଡି ଲଗାଇବାକୁ ପଡୁଛି । ସେପଟେ ଅଳିଆ ବୁହା ଗାଡିରେ କରୋନା ମୃତକଙ୍କ ଶବକୁ ବୋହି ନେଇ ଫିଙ୍ଗି ଦିଆଯାଉଥିବାର ଚିତ୍ର ସାମ୍ନାକୁ ଆସିବା ପରେ ଏହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ । କରୋନା ସଂକ୍ରମଣ ଭିତରେ ଲକ୍ଷ୍ନୌରୁ ଆସିଛି ଏଭଳି ଚିତ୍ର । ଯାହା ଆପଣଙ୍କୁ ବି ବିଚଳିତ କରିଦେବ । ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ୍ ନାହିଁ । ମଶାଣୀରେ ଜୁଇ ଜଳିବାର ନାଁ ଧରୁନି । ସୂଚନା ଅନୁସାରେ ଦୈନିକ ଶତାଧିକ ଶବ ଦାହ ହେଉଛି ଲଖନୌର ଏହି ବୈକୁଣ୍ଠଧାମ ମଶାଣୀରେ । ଅନ୍ତିମ ସଂସ୍କାର ପାଇଁ ମଶାଣୀରେ ଲାଗିଛି ଶବଗୁଡିକର ଧାଡି । ବାହାରେ ଠିଆ ହୋଇ ରହୁଛି ଆଂବୁଲାନ୍ସ ଓ ଶବ ଆଣିଥିବା ଗାଡି ।

ଦେଶରେ ବର୍ତମାନ କରୋନା ମୁକାବିଲାରେ ଚିକିତ୍ସା ବ୍ୟବସ୍ଥାରେ ଗୋଟିଏ ପଟେ ବେଡ୍ ଅଭାବ ଅନ୍ୟପଟେ ଅକ୍ସିଜେନ୍ ଅଭାବ ପାଲଟିଲାଣି ପ୍ରମୁଖ ସମସ୍୍ୟା । ଦିଲ୍ଲୀରୁ ନେଇ ଗୁଜରାଟ ଯାଏଁ ଏହି ସମସ୍ୟା ଚିନ୍ତା ବଢାଇଛି । ଏସବୁ ଭିତରେ ଏବେ ଅକ୍ସିଜେନ୍ ଚାହିଦା ପୂରଣ ନେଇ ଲିକୁଇଡ୍ ଅକ୍ସିଜେନ୍ ସିଲିଣ୍ଡର ଗୁଡିକୁ ରେଳ ଜରିଆରେ ପଠାଇବାକୁ ଅନୁମତି ଦେଇଛି ରେଳବାଇ ।