ମାଆ ଲଢୁଥିଲା କରୋନା ଯୁଦ୍ଧ, ଝିଅ ହାରିଗଲା ଜୀବନ ଯୁଦ୍ଧ । କର୍କଟ-କରୋନା ମଝିରେ ମୃତ୍ୟୁର ମହାନାଟକ । ଡ୍ୟୁଟି କଲାବେଳେ ମାଆ ଶୁଣିଲା କୁନି ଝିଅର ମୃତ୍ୟୁ ଖବର । ପଢ଼ନ୍ତୁ…କରୋନା ଯୋଦ୍ଧାଙ୍କ କୋହଭରା କାହାଣୀ…

ମା ଆଖିରୁ ଝରି ଝାଉଛି ଯନ୍ତ୍ରଣାର ଝରଣା । କରୋନା ଯୁଦ୍ଧ ଜିତିବାକୁ ମା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଥିବାବେଳେ ଝିଅ କର୍କଟ ଯୁଦ୍ଧରେ ହାରିଯାଇଛି ।

2,415

କନକ ବ୍ୟୁରୋ: ଆଉ କିଏ ଏମିତି ମୋର ଯତ୍ନ ନେବ? ମୁଁ ସିନା ତାକୁ ଜନ୍ମ ଦେଇଥିଲି ହେଲେ ସିଏ ମୋ ମାଆ ସାଜିଥିଲା । ଆଉ ମୋର ଟିକିନିକ ଯତ୍ନ ନେଉଥିଲା…ଯିଏ ମୋ ଦୁନିଆର ଅମୂଲ୍ୟ ସମ୍ପତି ଥିଲା ଯାହା ପାଇଁ ମୁଁ ଦିନରାତି ଖଟୁଥିଲି ଏବେ ତା’ ବିନା କେମିତି କାଟିବି… ମା ଆଖିରୁ ଝରି ଝାଉଛି ଯନ୍ତ୍ରଣାର ଝରଣା । କରୋନା ଯୁଦ୍ଧ ଜିତିବାକୁ ମା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଥିବାବେଳେ ଝିଅ କର୍କଟ ଯୁଦ୍ଧରେ ହାରିଯାଇଛି ।

ପିପିଲି ସଅଁପୁରର ଗୌରୀ ବେହେରା ହୋମଗାର୍ଡଭାବେ କାର୍ଯ୍ୟରତ । କର୍କଟ ରୋଗରେ ପୀଡ଼ିତ ୧୩ ବର୍ଷର ଝିଅକୁ ଘରେ ଛାଡ଼ି ଅହରହ ସେବା ଯୋଗାଉଥିବାବେଳେ ବିଧି ରଚିଥିଲା ନିଷ୍ଠୁର ବିଧାନ । ଗୋଟେ ମା’ କୋଳରୁ ତା’ ଏକାମାତ୍ର ସମ୍ପତ୍ତିକୁ ଛଡ଼ାଇନେଲା ଦଇବ । କରୋନା ଡ୍ୟୁଟିରୁ ଫେରିବା ପରେ ଝିଅର ଜୀବନ ନଥିବା ଶରୀରରକୁ ଜାବୁଡ଼ି ଧରି ଛାତି ପିଟିପିଟି କାନ୍ଦି ଚାଲିଲା ଏ ମାଆ… ଉଠୁ…ଉଠୁ କହି ଯେତେ ଡାକିଲେ ବି ଝିଅ ଜମା ଶୁଣିଲାନି । କାରଣ ମା’ର କୋଳରୁ ଝିଅକୁ ସବୁଦିନ ପାଇଁ ଛଡ଼ାଇ ନେଲା ସମୟ ।

ଗୋଟେପଟେ ସେବା ଅନ୍ୟପଟେ ସ୍ନେହ ଦୁଇଟିକୁ ବେସ୍ ସାହସର ସହ ତୁଲାଉଥିବା ସାହସୀ ଗୌରୀଙ୍କ ସଂସାର କହିଲେ କେବଳ ତାଙ୍କ ୧୩ ବର୍ଷୀୟ ଝିଅ । ଆଉ ସେହି ଝିଅକୁ କର୍କଟ କବଳରୁ ମୁକୁଳାଇବା ପାଇଁ କର୍ତ୍ତବ୍ୟରେ କେବେ ଖିଲାପ କରୁନଥିଲା ମାଆ । ଝିଅର ଚିକିତ୍ସା ଓ ମେଡିସିନ୍ ପାଇଁ କରୋନା ଭଳି ବିପତ୍ତି ବେଳେ ବି ପଛକୁ ଗୋଡ଼ ଫେରାଇନଥିଲେ ଗୌରୀ । ସେଥିପାଇଁ ତ ତାଙ୍କ ବଳିଦାନକୁ ଏ ମଣିଷ ସମାଜ ହୁଏତ କେବେ ଭୂଲି ପାରିବ ନାହିଁ । କର୍କଟ କୋଳରେ ଶୋଇଥିବା ଝିଅକୁ ଛାଡ଼ି କରୋନାବେଳେ କର୍ତ୍ତବ୍ୟ କରିବାକୁ ଆଗେଇଯାଇଥିବା ଗୌରୀଙ୍କ ଏହି ନିଷ୍ଠାପରତାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଂଶସା କରିଛନ୍ତି ।

ସଂକ୍ରମଣରୁ ଲୋକମାନଙ୍କୁ ସୁରକ୍ଷା ଦେଉଥିବା ବେଳେ କରୋନା ଯୋଦ୍ଧା ଗୌରୀ ଝିଅର ମୃତ୍ୟୁ ଖବର ପାଇଲେ, ବାସ୍ ଏହାପରେ ଜଣେ ମା’ର ହୃଦୟର କୋହ ହୁଏତ କେହି ଶବ୍ଦରେ ବର୍ଣ୍ଣନା କରିବା ଅସମ୍ଭବ । ସ୍ୱାମୀ ଛାଡି ଦେଲା ପରେ ଭାଙ୍ଗି ନଥିଲେ ଗୌରୀ କାରଣ ତାଙ୍କ ପାଖରେ ଥିଲା ରକ୍ତର ଆଶାବାଡି । ଯାହାକୁ ସେ ଆଖି ଆଗରୁ ଦୂରାଉ ନଥିଲେ ସେ ସବୁଦିନ ପାଇଁ ଦୂରେଇ ଯିବା ପରେ ଏବେ ଝିଅର ସ୍ମୃତିରୁ ମାଆ ଡାକ ସାଉଁଟୁଛନ୍ତି ଗୌରୀ । ଝିଅକୁ ଝୁରିଝୁରି ଅଜାଣତରେ ସେ ବସୁଥିବା ହ୍ୱିଲଚେୟାରକୁ ଏବେ ବି ଝାଡ଼ିଝୁଡ଼ି ସଫା କରୁଛନ୍ତି ଆଉ ସେ ଲେଖୁଥିବା ସ୍କୁଲ ଖାତାର ପ୍ରତିଟି ଫର୍ଦ୍ଦକୁ ଖେଳାଇ ଖେଳାଇ ତା ଭିତରେ ଝିଅର ସେ ସ୍ନେହବୋଳା ଆଖିକୁ ଅଣ୍ଡାଳୁଛନ୍ତି… ଏମିତି ଲାଗୁଛି ଝିଅର ମୃତ୍ୟୁ ପରେ ବି ମାଆ ପାଇଁ ମମତା ଏବେବି ବଞ୍ଚିରହିଛି ।