କନକ ବ୍ୟୁରୋ: ଦେଶର ୧୮ଟି ରାଜ୍ୟରେ କରୋନାର ୭୭୧ଟି ରୂପରେଖ ଚିହ୍ନଟ ହୋଇଛି । ଏହା ମଧ୍ୟରେ ରହିଛି ୭୩୬ଟି ବ୍ରିଟେନ ଷ୍ଟ୍ରେନ, ୩୪ଟି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ । ନ୍ୟାସନାଲ ସେଂଟର ଫର ଡିଜିଜ କଂଟ୍ରୋଲ, ଏନସିଡିସି ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂହ ଏହି ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଓଡିଶାରେ ୩ଟି ବ୍ରିଟେନ ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହାରି ଭିତରେ ପଶ୍ଚିମ ଓଡିଶାର କରୋନା ଟ୍ରେଣ୍ଡ ଚିନ୍ତା ବଢାଇଛି ।

Advertisment

ସଂକ୍ରମଣ ବଢୁଛି , ଭୟ ବଢୁଛି ଏବଂ ନୂଆ ନୂଆ ଜିଲ୍ଲାକୁ କାୟା ମେଲାଉଛି କରୋନା । ବିଶେଷ କରି ପଶ୍ଚିମ ଓଡିଶାକୁ ଘାରିଛି କରୋନା ଭୟ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡାରେ ସର୍ବାଧିକ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ଛତିଶଗଡ ପାଇଁ ନୂଆପଡାରେ ବିପଦ ବଢୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡ, ମହାରାଷ୍ଟ୍ର. କେରଳ ଓ ରାଜସ୍ଥାନରୁ ଫେରିଥିବା ଲୋକମାନଙ୍କୁ ୭ଦିନ ଗୃହ ସଙ୍ଗରୋଧରେ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଛତିଶଗଡରେ ହୋଇଥିବା ଭାରତ-ଶ୍ରୀଲଙ୍କା କ୍ରିକେଟ ମ୍ୟାଚ ଦେଖିବାକୁ ନୂଆପଡାରୁ ଅନେକ ଲୋକ ଯାଇଥିଲେ । ତେଣୁ ଏହା କରୋନା ସଂକ୍ରମଣକୁ ବଢାଇ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ସେପଟେ ରାଉରକେଲା ଏନଆଇଟିର ୩ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ମାର୍ଚ୍ଚ ୧୦ରେ ଜଣେ , ୧୫ ଓ ୨୨ ତାରିଖରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କ୍ୟାମ୍ପସ ପରିସରରେ ସେମାନଙ୍କୁ ସଂଗରୋଧରେ ରଖାଯାଇଛି । ଏନେଇ ପ୍ରତିଷ୍ଠାନର ଡିନଙ୍କ ପାଖରେ କୌଣସି ଖବର ନାହିଁ । ତେବେ ଛାତ୍ରଛାତ୍ରୀ କରୋନା ପଜିଟିଭ ଥିବା ଖବରକୁ ସ୍ୱୀକାର କରିଛନ୍ତି ଚିଫ୍ ୱାଡେନ୍ ।

ଅନ୍ୟପଟେ ଏହାରି ଭିତରେ ଆଗେଇ ଚାଲିଛି ଟିକାକରଣ । ଗୁୁରୁତ୍ୱପୂର୍ଣ୍ଣ ଦିଗଟି ହେଲା, ପ୍ରଥମ ଡୋଜ ନେବାର ୬ରୁ ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେବା ପାଇଁ ମରାମର୍ଶ ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ ରାଜ୍ୟରେ ଏପ୍ରିଲ ୧ ତାରିଖ ସୁଦ୍ଧା ଯେତିକି ଟିକା ଦରକାର ଅଛି ସେହି ପରିମାଣ ଟିକା ମହଜୁଦ ନରହିବା ମଧ୍ୟ ଟିକାକରଣର ସୁପରିଚାଳନା ନେଇ ପ୍ରଶ୍ନବାଚୀ ଛିଡା କରିଛି ।