ରହସ୍ୟମୟ ହେଉଛି କରୋନାର ଦ୍ୱିତୀୟ ଲହର । ନୂଆ ଭାରିଏଂଟ ପାଇଁ ଦ୍ରୁତ ଗତିରେ ବଢ଼ୁଛି କି ସଂକ୍ରମଣ ? ହେଲେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି କମ୍ ଆକ୍ରାନ୍ତ ।

121

କନକ ବ୍ୟୁରୋ: ସାରା ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦେଶର ପ୍ରାୟ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହାର ପ୍ରଭାବ ବେଶ୍ ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ଏହାରି ଭିତରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିଛି – ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସମୟରେ ସବୁଠୁ ଅଧିକ ଆକ୍ରାନ୍ତ ୨୦୨୦ ସେପ୍ଟେମ୍ବର ୧୭ ତାରିଖରେ ଚିହ୍ନଟ ହୋଇଥିଲେ । ଏହି ଦିନ ମୋଟ ୯୭ ହଜାର ୮୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାସହ ସେହିି ଦିନ ମୋଟ ୧ ହଜାର ୧୩୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ଗତ ୨୪ ଘଂଟାରେ ସାରା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୫ ହଜାର ୭୩୬ ହୋଇଥିବା ବେଳେ ଏହି ସମୟରେ ମୃତକଙ୍କ ସଂଖ୍ୟା ୬୩୦ ରେକର୍ଡ କରାଯାଇଛି । ଏହି ପର୍ଯ୍ୟାୟ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ଗୁରୁତର ଓ ମୃତକଙ୍କ ସଂଖ୍ୟା କମ୍ ରହୁଥିବା ବିଶେଷଜ୍ଞ ମତ ଦେଇଛନ୍ତି । ସମୟ ସହିତ ଭୂତାଣୁ ତାର ରୂପ ପରିବର୍ତନ କରିଥାଏ । କିନ୍ତୁ ନିଜେ ବଂଚିବା ପାଇଁ ହୋଷ୍ଟ ଅର୍ଥାତ ଯାହା ଦେଶରେ ନିଜେ ବଂଚେ, ତାକୁ ମଧ୍ୟ ବଂଚାଇ ରଖିଥାଏ ଭୂତାଣୁ । ତେଣୁ ସଂକ୍ରମଣ ବ୍ୟାପକ ହୁଏ, ହେଲେ ଏହାର ଘାତକତା ହ୍ରାସ ପାଏ।

ଅନ୍ୟପଟେ ରାଜ୍ୟରେ କରୋନା ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି । ତେଣୁ ବର୍ତମାନ ଚାଲିଥିବା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଡିଏମଇଟି । ତେବେ କେବେ କମିବ କରୋନା କହିବା ମୁସ୍କିଲ । କିନ୍ତୁ ସଚେତନା ଓ ସତର୍କତା ହିଁ ଆମକୁ କରୋନାଠୁ ସୁରକ୍ଷିତ ରଖିପାରିବ ବୋଲି କହିଛନ୍ତି ବିଶେଷଜ୍ଞ ।