ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଓଡିଶାରେ ସପ୍ତାହକୁ ୫ଦିନ ଦିଆଯିବ ଟିକା
ଆଜି ଶେଷ ହେବ ପ୍ରଥମ ଡୋଜ୍ ଟିକାକରଣ ଅବଧି
କନକ ବ୍ୟୁରୋ : ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କ ପରେ ଏବେ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । କିଭଳି ଢଙ୍ଗରେ ଟିକାକରଣ କରାଯିବ, ତାହାର ଏକ ପ୍ଲାନିଂ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ଓ ୫ମହାନଗର ନିଗମକୁ ଚିଠି ଲେଖିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ପହିଲାରୁ ବୟସ୍କ ଓ ଜଟିଳ ବା କୋ-ମର୍ବିଡ୍ ଥିବା ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ମାତ୍ର କେଉଁ ତାରିଖରୁ ଆରମ୍ଭ ହେବ, ତାହା ରାଜ୍ୟ ସରକାର ସ୍ପଷ୍ଟ କରିନାହାନ୍ତି। ତେଣୁ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସ୍ବାସ୍ଥ୍ୟ ଓ ୱେଲନେସ୍ କେନ୍ଦ୍ର ଓ ସବ୍-ସେଣ୍ଟରଗୁଡ଼ିକ ଏଥିପାଇଁ ପ୍ରସ୍ତୁତ କରିବା ଲାଗି କୁହାଯାଇଛି। ରବିବାର ବାଦ୍ ସପ୍ତାହରେ ୫ଦିନ ଟିକାକରଣ କରାଯିବ । ବିକଳ୍ପ ଭ୍ୟାକ୍ସିନେଟରଙ୍କୁ ଚିହ୍ନଟ, ପ୍ରତି ବ୍ଲକ୍/ସହରାଞ୍ଚଳରେ ୬-୭ ଭ୍ରାମ୍ୟମାଣ ଟିକାକରଣ ଟିମ୍ ଗଠନ କରାଯିବା ସହ ଉପଯୁକ୍ତ ପ୍ଲାନିଂ ସହିତ ଟିକାକରଣ ଅଧିବେଶନ ଆୟୋଜନ କରିବାକୁ କୁହାଯାଇଛି । ପିଏଚ୍ସି, ସିଏଚ୍ସି ଓ ମେଡିକାଲ କଲେଜକୁ ମଧ୍ୟ ଟିକାକରଣ କେନ୍ଦ୍ର ଭାବେ ଚିହ୍ନଟ କରିବା ସହିତ ବ୍ଲକସ୍ତରରେ ଟିକା, ଟିକା ଅଧିବେଶନ, ଲଜିଷ୍ଟିକ୍ ଓ ଟିକାକରଣ ଟିମ୍ର ଗମନାଗମନର ପ୍ଲାନିଂ, ଲାପଟପ୍/ଡେସ୍କଟପ୍ ପ୍ରଭୃତି ପ୍ରଦାନ କରିବା ଲାଗି ନିର୍ଦ୍ଦେଶକ ଦିଆଯାଇଛି । ତେବେ ନିୟମିତ ଏଏନ୍ଏମ୍ମାନଙ୍କୁ ଏ କାର୍ଯ୍ୟରେ ନିୟୋଜିତ ନ କରିବା ଲାଗି କୁହାଯାଇଛି । ଏ ସଂକ୍ରାନ୍ତୀୟ ସମସ୍ତ ପ୍ଲାନିଂ ଚଳିତ ମାସ ୨୮ ତାରିଖ ସୁଦ୍ଧା ପ୍ରଦାନ କରିବା ଲାଗି ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟରେ ୮୧ଟି ଅଧିବେଶନରେ ପ୍ରଥମ ଡୋଜ୍ ପାଇଁ ୧୦୯ପ୍ରତିଶତ ଓ ଦ୍ବିତୀୟ ଡୋଜ୍ ପାଇଁ ୯୪ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୩ଲକ୍ଷ ୩୮ହଜାର ୭ଶହ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୮୬.୯ ପ୍ରତିଶତ ହାରରେ ୨ଲକ୍ଷ ୯୪ହଜାର ୧୭୬ଜଣ ଟିକା ନେଇଛନ୍ତି । ପ୍ରଥମ ଡୋଜ୍ର ଟିକାକରଣ ଅବଧି ଶେଷ ହେବ । ତେବେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଅନେକ ଟିକା ନେଉ ନଥିବାରୁ ରାଜ୍ୟ ସରକାର କରୋନା ସଂକ୍ରମଣ ପାଇଁ ଉପଲବ୍ଧ ହେଉଥିବା ସରକାରୀ ସୁବିଧା ନ ଦେବାକୁ ଚେତାବନୀ ଦେଇଛନ୍ତି । କଟକ ଜିଲ୍ଲାରେ ସବୁଠାରୁ କମ୍ ସ୍ବାସ୍ଥ୍ୟକର୍ମୀ କରୋନା ଟିକା ନେଇଛନ୍ତି। ସେହିପରି ୩୯.୭ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି । ଅପରପକ୍ଷରେ ପଞ୍ଜୀକୃତ ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୭୬ ପ୍ରତିଶତ ଟିକା ନେଇ ସାରିଲେଣି । ସମୁଦାୟ ୨ଲକ୍ଷ ୪ହଜାର ୪୬୯ କୋଭିଡ୍ ଯୋଦ୍ଧାଙ୍କ ମଧ୍ୟରୁ ୧ଲକ୍ଷ ୫୬ହଜାର ୧୮୫ଜଣ ଟିକା ନେଇଛନ୍ତି ।