ରାଜ୍ୟରେ ଟିକା ସଂକଟ, ୭୦୦ ଟିକାକରଣ କେନ୍ଦ୍ର ବନ୍ଦ । ଫେଲ ମାରିଲା ଦୈନିକ ୨ ଲକ୍ଷ ଟିକାକରଣ ଟାର୍ଗେଟ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଲେ, ଆବଶ୍ୟକ ମୁତାବକ ଟିକା ନ ପହଁଚିଲେ, ପ୍ରଭାବିତ ହେବ ଟିକାକରଣ

141

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଟିକା ସବୁଠୁ ବଡ଼ ଅସ୍ତ୍ର ହୋଇଥିବା ବେଳେ ଟିକାକୁ ନେଇ ଆରମ୍ଭ ହୋଇ ଯାଇଛି ଟଣାଓଟରା । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଅଭିଯୋଗ କରିଛନ୍ତି ଆବଶ୍ୟକ ମୁତାବକ ଟିକା ପଠାଉନାହିଁ କେନ୍ଦ୍ର । ଯାହାକୁ ମାନିବାକୁ ନାରାଜ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡୁଥିବା ବେଳେ ଓଡ଼ିଶାରେ ୭୦୦ ଟିକାକରଣ କେନ୍ଦ୍ରକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଏପ୍ରିଲ ୧ ତାରିଖରେ ୨ ଲକ୍ଷରୁ ଅଧିକ, ୨ ତାରିଖରେ ଅଢ଼େଇ ଲକ୍ଷରରୁ ଅଧିକ, ୩ ତାରିଖରେ ୨ ଲକ୍ଷ ୭୧ ହଜାରରୁ ଅଧିକ ଟିକା ଦିଆଯାଇଥିବା ବେଳେ ହଠାତ୍ ଏହି ଗତିରେ ବ୍ରେକ୍ ଲାଗିଥିଲା । ଏପ୍ରିଲ ୬ରେ ୧ଲକ୍ଷ ୭୩ ହଜାର ୩୦୭ ଓ ୭ ତାରିଖରେ ଦିଆଯାଇଛି ମାତ୍ର ୧ ଲକ୍ଷ ୧୦ହଜାର ୮୮୯ ଟିକା ।

ଓଡ଼ିଶା ଟିକାକରଣ

  • ଏପ୍ରିଲ ୧ – ୨,୦୩,୧୬୨
  • ଏପ୍ରିଲ ୨ – ୨,୫୨,୦୮୦
  • ଏପ୍ରିଲ ୩ – ୨,୭୧,୪୮୦
  • ଏପ୍ରିଲ ୪ – ୧,୬୭,୦୩୪
  • ଏପ୍ରିଲ ୫ – ୨,୬୩,୦୪୧
  • ଏପ୍ରିଲ ୬ – ୧,୭୩,୩୦୭
  • ଏପ୍ରିଲ ୭ – ୧,୧୦,୮୮୯

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ୨୫ ଲକ୍ଷ ଟିକା ଦେବା ପାଇଁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେ କହିଛନ୍ତି, ଯଦି ଆବଶ୍ୟକ ପରିମାଣର ଟିକା ନଆସେ, ତେବେ ଶନିବାର ଠାରୁ ରାଜ୍ୟରେ ଟିକାକରଣ ବ୍ୟାପକ ଭାବେ ପ୍ରଭାବିତ ହେବ । ଗୋଟିଏ ପଟେ ଆସନ୍ତା ୧୧ ତାରିଖରୁ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଟିକାକରଣ କେନ୍ଦ୍ର ଖୋଲିବାକୁ କୁହାଯାଉଛି । ଅନ୍ୟପଟେ ଟିକାକରଣ କେନ୍ଦ୍ରଗୁଡିକୁ ବନ୍ଦ କରିବାରେ ଲାଗିଛନ୍ତି ସରକାର ।

ରାଜ୍ୟରେ ଏବେ ମହଜୁତ ଅଛି ୪,୩୫,୩୨୦ ଡୋଜ୍ କୋଭିସିଲ୍ଡ ଏବଂ ୧,୧୪,୪୯୦ କୋଭାକ୍ସିନ୍ । ଏହାସତ୍ତେ୍ୱ ୭୦୦ରୁ ଅଧିକ ଟିକାକେନ୍ଦ୍ର ବନ୍ଦ କରାଯାଇଛି । ବୁଧବାର ଦିନ କୋରାପୁଟ ଜିଲ୍ଲାରେ ପୂରା ବନ୍ଦ ରହିଥିଲା ଟିକାକରଣ । ପ୍ରଶ୍ନ ଉଠୁଛି, ରାଜ୍ୟରେ ପ୍ରାୟ ସାଢ଼େ ୫ ଲକ୍ଷ ଟିକା ମହଜୁଦ ଥିବା ସତ୍ତେ୍ୱ ଟିକାକେନ୍ଦ୍ରକୁ କାହିଁକି ବନ୍ଦ କରୁଛନ୍ତି ସରକାର । ତେବେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଆବଶ୍ୟକ ପରିମାଣର ଟିକା ରାଜ୍ୟକୁ ଆସୁନାହିଁ । ବିଭିନ୍ନ ରୋଗରେ ପୀଡ଼ିତ, ନିହାତି ଜରୁରୀ ଓ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କ ପାଇଁ କିଛି ଟିକା ଗଚ୍ଛିତ ରହିଛି । କମ୍ ଟିକା ନେଉଥିବା କେନ୍ଦ୍ରକୁ ବନ୍ଦ କରାଯାଇଛି ।

କାହିଁକି ବନ୍ଦ ହେଲା ୭୦୦ ଟିକାକରଣ କେନ୍ଦ?

  • ଆବଶ୍ୟକ ପରିମାଣର ଟିକା ଆସୁନାହିଁ
  • ବିଭିନ୍ନ ରୋଗରେ ପୀଡ଼ିତ, ନିହାତି ଜରୁରୀ ଓ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କ ପାଇଁ କିଛି ଟିକା ଗଚ୍ଛିତ ରହିଛି
  • କମ୍ ଟିକା ନେଉଥିବା କେନ୍ଦ୍ରକୁ ବନ୍ଦ କରାଯାଇଛି

ବୁଧବାର ସୁଦ୍ଧା ରାଜ୍ୟରେ ଦିଆଯାଇଛି ୩୮ ଲକ୍ଷ ୫୨ ହଜାରରୁ ଅଧିକ ଡୋଜ୍ ଟିକା । ରାଜ୍ୟରେ ଏପ୍ରିଲ ୧ରୁ ପ୍ରତିଦିନ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରହିଥିଲା । ହେଲେ ଟିକା ଅଭାବରୁ ଏହା ପ୍ରଭାବିତ ହୋଇଛି ।