ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ପଠାଗଲା ଭ୍ୟାକସିନ୍ ।

103

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଗଲା କୋଭିଡ୍ ଭ୍ୟାକସିନ୍ । ଆଜି ପୁରୀ, କଟକ ଓ ନୟାଗଡ ଜିଲ୍ଲାକୁ କରୋନା ଟିକା ପଠାଯାଇଛି । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାକୁ କରୋନା ଟିକା ପଠାଯିବ । ଏବଂ ୧୬ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ଟିକାକରଣ ଅଭିଯାନ ।

ପ୍ରାୟ ୧୦ ମାସ ଧରି ପୂରା ଦେଶକୁ ସ୍ଥାଣୁ କରି ଦେଇଥିବା କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ଆଜି ଓଡ଼ିଶାରେ ପହଞ୍ଚିଛି ମହୋଷଧୀ । ଯେଉଁ ମୁହୂର୍ତକୁ ସମସ୍ତଙ୍କର ଅପେକ୍ଷା ରହିଥିଲା, ଶେଷରେ ସେହି ପ୍ରତୀକ୍ଷିତ ମୁହୂର୍ତ ଆସିଯାଇଛି । ପୁନେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରୁ ଭୁବନେଶ୍ୱରରେ ଆଜି ପହଞ୍ଚିଛି କରୋନା ଟିକା କୋଭିସିଲ୍ଡ । ଟଙ୍କା ଗାଡ଼ି ଭଳି ସଂପୂର୍ଣ୍ଣ ସୁରକ୍ଷା ବଳୟରେ ୩୪ ପ୍ୟାକେଟରେ ଅଣାଯାଇଛି ୪୦ ହଜାର ୮ଶହ ଭାଏଲ୍ ବା ଶିଶି, କରୋନା ଟିକା । ଷ୍ଟେଟ୍ ଭ୍ୟାକସିନ୍ ସେଂଟରରେ ଏହାକୁ ରଖାଯାଇଛି । ଦୁଇ ଦିନ ମଧ୍ୟରେ ସମସ୍ତ ଜିଲ୍ଲାକୁ ଟିକା ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।