ମାର୍ଚ୍ଚ ପହିଲାରୁ ବୟସ୍କ ଲୋକଙ୍କୁ ଟିକା: ୬୦ ବର୍ଷରୁ ଅଧିକ ବୟସ୍କ ; ୪୫ ବର୍ଷରୁ ଅଧିକ ବୟସ୍କ ଗୁରୁତର ରୋଗୀଙ୍କୁ ବି ଦିଆଯିବ ଭାକ୍ସିନ ।

ଭୁବନେଶ୍ୱରରେ ୧୨ ସରକାରୀ ଓ ୧୦ ଘରୋଇ ହସପିଟାଲରେ ହେବ ଟିକାକରଣ ।

115

କନକ ବ୍ୟୁରୋ: ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରେ ବୟସ୍କ ବ୍ୟକ୍ତି ଓ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ଟିକା ଦିଆଯିବ । ତେବେ ନଜର ପକାନ୍ତୁ, କେଉଁମାନଙ୍କୁ ଟିକା ଦିଆଯିବ ଏବଂ କେମିତି ଟିକା ପାଇଁ ପଂଜିକରଣ କରିବେ ଲୋକ…

  • ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସର ବ୍ୟକ୍ତି ଟିକା ନେବେ
  • ତାଙ୍କ ସହ ୪୫ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବେ ସେମାନେ ମଧ୍ୟ ଟିକା ନେବେ
  • ସରକାରୀ  ଏବଂ ବେସରକାରୀ ହସ୍ପିଟାଲରେ ଦିଆଯିବ ଟିକା
  • ବେସରକାରୀ ହସ୍ପିଟାଲ ପାଇଁ ସୋମବାରରୁ ଆରମ୍ଭ ହେବ ପଂଜିକରଣ
  • କୋୱିନ୍-୨ ଆପ୍ ଓ ଅରୋଗ୍ୟ ସେତୁ ଆପରେ ପଂଜିକରଣ କରିବାକୁ ହେବ
  • କେଉଁ ହସପିଟାଲରେ ଟିକା ନେବେ ଚୟନ କରିପାରିବେ
  • ମଙ୍ଗଳବାରଠାରୁ ଘରୋଇ ହସ୍ପିଟାଲରେ ଟିକାକରଣ

ଅନ୍ୟପଟେ ଭୁବନେଶ୍ୱରରେ କିପରି ଟିକାକରଣ ସୁରୁଖୁରୁରେ ହେବ, ସେ ନେଇ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୨ଟି ସରକାରୀ ହସପିଟାଲ ଓ ୧୦ଟି ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା । ଭୁବନେଶ୍ୱରରେ ଯେଉଁ ଘରୋଇ ହସ୍ପିଟାଲରେ ଟିକାକରଣ ହେବ, ସେଗୁଡିକ ହେଲା- କିମ୍ସ, କଳିଙ୍ଗ, ବ୍ଲୁ-ହୁଇଲ, ଅଶ୍ୱିନୀ, ଆମ୍ରି, ଉକ୍ରଳ, ନିଳାଚଳ, କେୟାର ଓ ହାଇଟେକ୍ ।

ପ୍ରଥମେ ୧୦ଟି ଘରୋଇ ହସ୍ପିଟାଲକୁ ଟିକାକରଣରେ ସାମିଲ କରାଯାଇଥିବା ବେଳେ ଆଗରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ଅନ୍ୟ ଘରୋଇ ହସ୍ପିଟାଲକୁ ସାମିଲ କରାଯିବ । ସରକାରୀ ହସ୍ପିଟାଲରେ ଟିକା ମାଗଣା ଦିଆଯିବ ଏବଂ ଘରୋଇ ହସ୍ପିଟାଲରେ ଟିକା ନେବା ପାଇଁ ଟଙ୍କା ଗଣିବାକୁ ପଡିବ । ଟିକାକରଣ ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ରହିଥିବା ବେଳେ ଟିକାର ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ । ସରକାରୀ ହସପିଟାଲର ପ୍ରତ୍ୟେକ ସାଇଟରେ ଦୈନିକ ୬୦ ଜଣ ଲୋକଙ୍କୁ ଟିକାକରଣ କରାଯିବ ବୋଲି କହିଛନ୍ତି ବିଏମସି କମିସନର ।