ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ କ୍ଷେତ୍ର ପାଇଁ ୬୦୦ ଟଙ୍କା ।

ଆଇସିଏମଆର ଦାବି, ୟୁକେ, ବ୍ରାଜିଲ ଭାରିଆଂଟ ଓ ଭାରତର ଡବଲ ମ୍ୟୁଟାଂଟ ବିରୋଧରେ କାମ ଦେବ କୋଭାକ୍ସିନ୍

117

କନକ ବ୍ୟୁରୋ: ସଂକ୍ରମଣ ବଢ଼ିବା ସହ ଟିକା ନେବାକୁ ଲୋକଙ୍କ ଭିତରେ ସାରାଦେଶରେ ବଢ଼ିବାରେ ଲାଗିଛି ଉତ୍ସାହ । ହେଲେ ଟିକାର ଅଭାବ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ । ଏଭଳି ସ୍ଥିତିରେ ଅନେକ ରାଜ୍ୟ ଖୋଲାବଜାରରେ ଟିକା ଉପଲବ୍ଧ କରିିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ । ରାଜ୍ୟମାନଙ୍କର ଅଭିଯୋଗ ଓ ଦାବି ଭିତରେ ଟିକା ନିର୍ମାତାଙ୍କ ନିକଟରୁ ରାଜ୍ୟଗୁଡିକ ସିଧାସଳଖ ଟିକା କିଣିବାକୁ ଅନୁମତି ଦେଇଛି କେନ୍ଦ୍ର । କେନ୍ଦ୍ର ଘୋଷଣା କରିବାର କିଛି ସମୟ ପରେ ରାଜ୍ୟମାନେ କିଣିବାକୁ ଥିବା ଟିକାର ଦର କେତେ ରହିବ ତାହା ର୍ଧାର୍ଯ୍ୟ କରିଛନ୍ତି ।

ରାଜ୍ୟଗୁଡିକରେ ଦେଖା ଦେଉଥିବା ଟିକାର ଅଭାବ ପୂରଣ ପାଇଁ ରାଜ୍ୟଗୁଡିକୁ ସିଧାସଳଖ ଟିକା ଉତ୍ପାଦକଙ୍କଠାରୁ ଟିକା କିଣିପାରିବେ । ସେହିପରି ଘରୋଇ ହସ୍ପିଟାଲ ଓ ଅଧିକୃତ ଟିକା କେନ୍ଦ୍ର ମଧ୍ୟ ଟିକା ଆଣିପାରିବେ । ସରକାରଙ୍କ ଏହି ନିଷ୍ପତି ପରେ ଟିକା ଦର ଧାର୍ଯ୍ୟ କରିଛି ଦେଶର ସର୍ବାଧିକ ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ । ସଂସ୍ଥା ପକ୍ଷରୁ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଗୁଡିକ ପାଇଁ ଅଲଗା ଅଲଗା ଦର ଧାର୍ଯ୍ୟ କରାଯାଇଛି । ରାଜ୍ୟଗୁଡିକ ପାଇଁ ଗୋଟିଏ ଡୋଜ ଟିକାର ଦାମ ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଧାର୍ଯ୍ୟ କାରାଯାଇଛି । ଏବଂ ଟିକାକେନ୍ଦ୍ର ଗୁଡିକୁ ପୂର୍ବ ପରି ୧୫୦ ଟଙ୍କାରେ ଟିକା ଯୋଗାଇ ଦେବ ସେରମ ଇନଷ୍ଟିଚ୍ୟୁଟ୍ ।

ଏଠାରେ ସ୍ପଷ୍ଟ କରିବାକୁ ଚାହିଁବୁ ଯେ, ଟିକା ଖୋଲା ବଜାରରେ ଉପଲବ୍ଧ ହେବନାହିଁ । ଅର୍ଥାତ ମେଡିସିନ ଦୋକାନରେ ଏବେ ଟିକା ମିଳିବ ନାହିଁ । କେବଳ ରାଜ୍ୟ ସରକାର, ଘରୋଇ ହସ୍ପିଟାଲ ଓ ଅଧିକୃତ ଟିକା କେନ୍ଦ୍ର ହିଁ ସିଧାସଳଖ ଟିକା ଉତ୍ପାଦକଙ୍କଠାକୁ ଟିକା କିଣି ପାରିବେ ।

ତେବେ କେଉଁ ଟିକା କରୋନାର ନୂଆ ରୂପକୁ ମାତ ଦେଇପାରିବ ଏହି ଆଶଙ୍କା ଭିତରେ ଦେଶୀ ଟିକାର କମାଲ ମଧ୍ୟ ସାମ୍ନାକୁ ଆସିଛି । ଦେଶର ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା ଆଇସିଏମଆର ଦାବି କରିଛି ଯେ, ଦେଶୀ ଟିକା କୋଭାକ୍ସିନ, କରୋନାର ସବୁ ପ୍ରକାର ଭାରିଆଂଟ ବିରୋଧରେ ପ୍ରଭାବୀ । ଅର୍ଥାତ କରୋନାର ଯେକୌଣସି ପ୍ରକାର ବିରୋଧରେ ଏହା କାମ ଦେଉଛି । ୟୁକେ ଭାରିଆଂଟ ଓ ବ୍ରାଜିଲ ଭାରିଆଂଟ ସମେତ ଦେଶରେ ଦେଖାଦେଇଥିବା ଡବଲ ମ୍ୟୁଟାଂଟ ବିରୋଧରେ ଏହା ପ୍ରଭାବୀ ବୋଲି ଦାବି କରିଛି ଆଇସିଏମଆର । ନିକଟରେ ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁଣେ ପକ୍ଷରୁ ହୋଇଥିବା ଅଧ୍ୟୟନରୁ ଏହି ତଥ୍ୟ ଜଣାପଡିଥିବା କୁହାଯାଉଛି ।

ଏସବୁ ଭିତରେ ରାଜ୍ୟଗୁଡିକର ଚାହିଦା ମୁତାବକ ଟିକା ଯୋଗାଇବା ଟିକା ଉତ୍ପାଦକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ । କାରଣ ଏବେ ଟିକା ଅଭାବରୁ ଏକାଧିକ ଟିକା କେନ୍ଦ୍ର ବନ୍ଦ ଥିବାର ଖବର ସାରାଦେଶରୁ ସାମ୍ନାକୁ ଆସିବାରେ ଲାଗିଛି ।