କନକ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କା ଓ ଘରୋଇ ହସପିଟାଲକୁ ପ୍ରତି ଡୋଜ୍ ପିଛା ୬୦୦ ଟଙ୍କାରେ କୋଭିସିଲ୍ଡ ଯୋଗାଇ ଦେବ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାର ମୂଲ୍ୟ ଯେତିକି ରହିଛି, ତା’ଠାରୁ ବେଶ କମ୍ ରହିଛି ବିଦେଶରେ ଏହାର ମୂଲ୍ୟ । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାଗଣା ଟିକା ଦେବା ପାଇଁ ଦାବି କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେପଟେ ବିଜେଡି ସାଂସଦ ଅମର ପଟ୍ଟନାୟକ ଟ୍ୱିଟ୍ କରି ଦେଶର ୨୦ ଜଣ ଧନୀ ବ୍ୟକ୍ତିଙ୍କୁ ଟିକାକରଣରେ ସହାୟତା କରିବାକୁ ଅନୁରୋଧ କରିଛନ୍ତି ।

Advertisment

ଜାତୀୟ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁସାରେ ଭାରତ ଠାରୁ ବିଦେଶରେ କମ ମୂଲ୍ୟରେ ବିକ୍ରି ହେଉଛି କୋଭିସିଲ୍ଡ ଟିକା । ନଜର ପକାନ୍ତୁ, କେଉଁ ଦେଶରେ କେତେ ଟଙ୍କା ରେ ବିକ୍ରି ହେଉଛି କୋଭିସିଲ୍ଡ?

କୋଭିସିଲ୍ଡ ରେଟ୍ କାର୍ଡ
ସାଉଦି ଆରବ – ୩୯୪ ଟଙ୍କା
ଦକ୍ଷିଣ ଆଫ୍ରିକା – ୩୯୪ ଟଙ୍କା
ଆମେରିକା – ୩୦୦ ଟଙ୍କା
ବାଂଲାଦେଶ – ୩୦୦ ଟଙ୍କା
ବ୍ରାଜିଲ – ୨୩୬ ଟଙ୍କା
ବିଟ୍ରେନ୍ – ୨୨୫ ଟଙ୍କା
ଭାରତରେ ଏହାର ମୂଲ୍ୟ – ୬୦୦ ଟଙ୍କା

ଭାରତରେ କୋଭିସିଲ୍ଡ ଟିକାର ମୂଲ୍ୟ କାହିଁକି ଅଧିକ ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏପଟେ ଓଡ଼ିଶାରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଟିକା ଦେବା ପାଇଁ ଦାବି କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିହାର, ଆସାମ ଓ ଉତରପ୍ରଦେଶରେ ମାଗଣା ଟିକା ଦିଆଯିବ, ଓଡ଼ିଶାରେ କାର୍ହିକି ନୁହେଁ ବୋଲି ସେ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି । ସେପଟେ ଅମ୍ବାନୀ, ଅଦାନୀ ସହ ୨୦ ଜଣ ଧନୀବ୍ୟକ୍ତି, ଦେଶର ୨୫ ପ୍ରତିଶତ ଲୋକଙ୍କ ଟିକାକରଣରେ ସହାୟତା କରନ୍ତୁ ବୋଲି ଅପିଲ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।ଦେଶରେ ଟିକାକୁ ନେଇ ଭିନ୍ନ ଭିନ୍ନ ମୂଲ୍ୟ ଓ ଟିକାକରଣର ବ୍ୟବସ୍ଥାକୁ ନେଇ ବିବାଦ ତେଜିବାରେ ଲାଗିଛି ।