ସାରାଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ନୂଆ ନିର୍ଦ୍ଦେଶନାମା : ଏଣିକି ଯେ କୌଣସି ସମୟରେ ନେଇପାରିବେ କରୋନା ଟିକା 

 ସକାଳ ୬ରୁ ସଂଧ୍ୟା ୫ଟା ଯାଏଁ ଟିକାକରଣ ପାଇଁ ଥିବା କଟକଣା କୋହଳ

88

କନକ ବ୍ୟୁରୋ : ଏଣିକି ଦିନର ଯେକୌଣସି ସମୟରେ କରୋନା ଟିକା ନେଇପାରିବେ । ପୂର୍ବରୁ ସକାଳ ୯ଟାରୁ ସଂଧ୍ୟା ୫ଟା ମଧ୍ୟରେ ଟିକାକରଣ ହେବ ବୋଲି ସମୟ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର । ହେଲେ ଟିକାକେନ୍ଦ୍ରରେ ଲୋକଙ୍କ ଭିଡ କମାଇବାକୁ ଏବଂ ବୟସ୍କ ନାଗରିକଙ୍କୁ ସୁବିଧାରେ ଟିକାଦାନ ପାଇଁ ଏହି କଟକଣାକୁ କୋହଳ କରାଯାଇଛି । ଏଣିକି ହସ୍ପିଟାଲଗୁଡିକ ଯେତେ ସମୟ ପର୍ଯ୍ୟନ୍ତ ଚାହିଁବେ ଟିକାକରଣ କାର୍ଯ୍ୟ କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ଦେଶବ୍ୟାପୀ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଲୋକମାନେ ଏଣିକି ସପ୍ତାହକ ୭ ଦିନ ଏବଂ ଦିନର ୨୪ ଘଂଟା ଭିତରେ ଯେ କୌଣସି ସମୟରେ ଟିକା ନେଇପାରିବେ ବୋଲି ସ୍ପଷ୍ଟ କରାଯାଇଛି । ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲୁ ରହିଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ଏବଂ ଜଟିଳ ରୋଗ ଥିବା ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯାଉଛି । ପୂର୍ବରୁ ଜାନୁଆରୀ ୧୬ ତାରିଖରୁ ସାରାଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିକ କରୋନା ଯୋଦ୍ଧାଙ୍କ ଟିକାକରଣ କରାଯାଇଛି ।