ଆଜି ୪ ରାଜ୍ୟରେ ଟିକାର ଡ୍ରାଏ ରନ୍ : ଜାଣନ୍ତୁ କେମିତି ହେବ ଟିକାକରଣର ଡ୍ରାଏ ରନ୍ ?

ଆନ୍ଧ୍ର, ଆସାମ , ଗୁଜରାଟ ଓ ପଞ୍ଜାବରେ ଦୁଇଦିନ ପାଇଁ ବ୍ୟବସ୍ଥା; ଆନୁଷଙ୍ଗିକ ଭିତିଭୂମିର କରାଯିବ ସମୀକ୍ଷା

127

କନକ ବ୍ୟୁରୋ : ଆସନ୍ତା ଜାନୁଆରୀରୁ ଦେଶରେ କରୋନା ଟୀକା ଦେବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଆଉ ଟିକା ପ୍ରିକ୍ରିୟାର ପ୍ରାକ ଅଭ୍ୟାସ ସ୍ୱରୂପ ଆନ୍ଧ୍ର ସମେତ ଆସାମ, ଗୁଜରାଟ ଓ ପଞ୍ଜାବରେ ଏହି ଡ୍ରାଏ ରନ ବ୍ୟବସ୍ଥା କରାଯିବ । ଆଜି ଓ ଆସନ୍ତାକାଲି ଏହି ଡ୍ରାଏ ରନ ପ୍ରକ୍ରିୟାରେ ବିଭିନ୍ନ କ୍ଷେତ୍ରରେ ସତର୍କତା ଅବଲମ୍ବନ ସହ ଆନୁଷଙ୍ଗିକ ଭିତିଭୂମି ବ୍ୟବସ୍ଥାର ସମୀକ୍ଷା ହେବ । କେବଳ ଲକ୍ଷଦ୍ୱୀପକୁ ବାଦଦେଲେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ଏ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଆଜି ଓ ଆସନ୍ତାକାଲି ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ କରାଯିବ । ପ୍ରତ୍ୟେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ହେବ ଡମି ଟିକାକରଣ ।

ଭାରତ ଭଳି ଏକ ବିଶାଳ ଭୂ-ଖଣ୍ଡ ଓ ବୃହତ ଜନସଂଖ୍ୟା ବିଶିଷ୍ଟ ଦେଶରେ କୋଭିଡ ଟିକା ସମସ୍ତଙ୍କ ପାଖରେ ଓ ସୁରକ୍ଷିତ ଭାବରେ କିଭଳି ପହଂଚି ପାରିବ ତାକୁ ନେଇ ବଡ କସରତର ଆବଶ୍ୟକତା ରହିଛି । କୋଭିଡ ଟିକାକରଣ ପାଇଁ ସାରାଦେଶରେ ୭ ହଜାରରୁ ଅଧିକ ଜିଲ୍ଲାସ୍ତରୀୟ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ତେଣୁ ପ୍ରକୃତ ଟିକାକରଣ ପୂର୍ବରୁ ଦିଆଯାଇଥିବା ପ୍ରଶିକ୍ଷଣ ଅନୁସାରେ କିଭଳି କାମ ହେଉଛି, ତାକୁ ଅନୁଧ୍ୟାନ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଅର୍ଥାତ କୋଭିଡ ବିରୋଧୀ ସମୁହ ଟିକାକରଣର ଏହା ପୂର୍ବ ପ୍ରସ୍ତୁତି ।
କେମିତି ହେବ ଟିକାକରଣର ଡ୍ରାଏ ରନ୍ ?
ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୧୦୦ ଜଣଙ୍କ ପାଇଁ ନିକଟସ୍ଥ ଡିପୋରୁ ଡମି ଟିକା ପହଂଚାଇ ଦିଆଯିବ
ଟିକାକରଣ କେନ୍ଦ୍ରରେ ପହଂଚିବା ଯାଏଁ ଟିକାର ତାପମାତ୍ରା ସ୍ଥିର ରଖିବାକୁ ଅନୁଧ୍ୟାନ କରାଯିବ
ଟିକା କିଏ ଓ କେତେବେଳେ ଦେବେ ସେନେଇ ଏସଏମଏସରେ ଆଗୁଆ ସୂଚନା ଦିଆଯିବ
ଟିକା ନେଇଥିବା ବ୍ୟକ୍ତି ୩୦ ମିନିଟ ଧରି ବିଶ୍ରାମ ନେବେ ଓ ତାଙ୍କ ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରାଯିବ