କରୋନା ଟିକା ସହ ନାହିଁ ପ୍ରଜନନ କ୍ଷମତାର ସମ୍ପର୍କ : ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ

301

କନକ ବ୍ୟୁରୋ : କରୋନା ଟିକା ସହ ପ୍ରଜନନ କ୍ଷମତାର କୌଣସି ସଂପର୍କ ନାହିଁ । ପ୍ରଜନନ ଉପରେ ଏହାର କୁପ୍ରଭାବ ନେଇ ଯେଉଁ ପ୍ରଚାର ହେଉଛି, ତାହାର କୌଣସି ଆଧାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଟିକା ନେବା ଦ୍ୱାରା ପୁରୁଷ କିମ୍ବା ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଏ ନାହିଁ ।

କେନ୍ଦ୍ର ସରକାର କହିଛନ୍ତି, ଏ ନେଇ ବୈଜ୍ଞାନିକ ପ୍ରମାଣ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏପରି ଗୁଜବ ପ୍ରଚାର ହେଉଥିବା ନଜରକୁ ଆସିଛି । ଏହା ଉପରେ ବିଶ୍ୱାସ ନକରିବାକୁ ଜନସାଧାରଣକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ପୋଲିଓ, ରୁବେଲା ଓ ମିଳିମିଳା ଟିକା ଦିଆଯିବା ବେଳେ ମଧ୍ୟ ଏପରି ଗୁଜବ ପ୍ରଚାର କରାଯାଉଥିଲା । କରୋନା ଟିକା କିମ୍ବା ଅନ୍ୟ କୌଣସି ଟିକା ପ୍ରଜନନକୁ ପ୍ରଭାବିତ କରେ ନାହିଁ ବୋଲି କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଟିକା ପରୀକ୍ଷଣ ସମୟରେ ସମସ୍ତ ପାଶ୍ୱର୍ ପ୍ରତିକ୍ରିୟା ସଂପର୍କରେ ଯାଂଚ କରାଯାଇ ଟିକାର ସୁରକ୍ଷା ଓ ପ୍ରଭାବ ସଂପର୍କରେ ନିଶ୍ଚିନ୍ତ ହେବା ପରେ ଟିକା ଦିଆଯାଇଥାଏ ।

ତେଣୁ ଏସବୁ ଗୁଜବ ପ୍ରତି ଧ୍ୟାନ ନଦେବାକୁ କହିଛନ୍ତି କେନ୍ଦ୍ର ସରକାର । ସେହିପରି କୋଭିଡ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ କହିଛନ୍ତି, ସ୍ତନ୍ୟପାନ କରାଉଥିବା ମହିଳାମାନେ ଟିକା ନେଇପାରିବେ । ସେମାନଙ୍କ ପାଇଁ ଟିକା ସଂପୂର୍ଣ୍ଣ ନିରାପଦ । ଟିକା ନେବା ପରେ କିମ୍ବା ପୂର୍ବରୁ ସ୍ତନ୍ୟପାନ ବନ୍ଦ କରାଇବାର ଆବଶ୍ୟକତା ନାହିଁ ।