କୋଭିଡ୍ ଟିକାକରଣ ଭିତରେ ଓଡିଶା ପାଇଁ ଖୁସି ଖବର । ମାତ୍ର ୫ ଦିନ ଭିତରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ନେଲେ ଟିକା ।

89

କନକ ବ୍ୟୁରୋ: କୋଭିଡ୍ ଟିକାକରଣ ଭିତରେ ଓଡିଶା ପାଇଁ ଆସିଛି ଖୁସି ଖବର । ମାତ୍ର ୫ ଦିନ ଭିତରେ ଓଡିଶାରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବରିଷ୍ଠ ନାଗରିକଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧ ଲକ୍ଷ ୧୧ ହଜାର ୩୩୭ ଜଣ ଟିକା ନେଇଛନ୍ତି । ସେହିପରି ରୋଗ ଥିବା ୪୫ ବର୍ଷରୁ ୫୯ ବର୍ଷ ବୟସ ବର୍ଗରେ ୪ ହଜାର ୭୨୪ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଜେଲ୍ ଅନ୍ତେବାସୀଙ୍କୁ ମଧ୍ୟ ଟିକା ଦିଆଯିବ । ଜେଲ ଭିତରେ ଥିବା ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଗୁରୁତର ରୋଗରେ ପୀଡିତ ଥିବା ୪୫ରୁ ୫୯ ବର୍ଷ ବୟସ୍କ ଅନ୍ତେବାସୀମାନଙ୍କୁ କୋଭିଡ୍ ଟିକା ଦିଆଯିବ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଏହାସହ ଏହି ଟିକାକରଣ ପ୍ରକ୍ରିୟା ଜେଲ ଭିତରେ ହିଁ ହେ. ତେଣୁ ଏଥିପାଇଁ ଏସପି ଓ ଜେଲ ଅଫିସିଆଲଙ୍କୁ ପ୍ରସ୍ତତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସାରା ଦେଶରେ ଏବେ କୋଭିଡ୍ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ୫୯ବର୍ଷର ଲୋକ, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ସେମାନଙ୍କୁ ଟିକା ଦିଆଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ୍ ଟିକା ନେଇସାରିଲେଣି ।