ଏହି ସ୍ଥାନରେ କୋଭିଡ୍ ଟିକା ନେବା ହେଲା ବାଧ୍ୟତାମୂଳକ । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ।

248

କନକ ବ୍ୟୁରୋ: ଓମିକ୍ରନ୍ ଭାରିଆଣ୍ଟକୁ ନେଇ ସାରା ଦେଶରେ ଚିନ୍ତା ବଢିଥିବାବେଳେ, ପୁଡୁଚେରୀ ପ୍ରଶାସନ ଟିକାକରଣକୁ ନେଇ ନେଇଛି ଏକ ବଡ ନିଷ୍ପତ୍ତି । ପୁଡୁଚେରୀରେ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରିଦିଆଯାଇଛି । ଅର୍ଥାତ ଏଣିକି ପୁଡୁଚେରୀରେ ଯେଉଁ ଲୋକ କୋଭିଡର ଦୁଇଟି  ଡୋଜ ଟିକା ନେବ ନାହିଁ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁଡୁଚେରୀ ପ୍ରଶାସନ ଏହି ନିର୍ଦ୍ଦେଶକୁ ତକ୍ରାଳ ଲାଗୁ କରିବାକୁ ଆଦେଶ ଦେଇଛନ୍ତି ।

ପୁଡୁଚେରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶନିବାର ଏହି ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି । ଯେଉଁ ଲୋକମାନେ କୋଭିଡ୍ ଟିକା ନେବେ ନାହିଁ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ପ୍ରଶାସନର ଏଭଳି ନିଷ୍ପତ୍ତି ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଯେଉଁ ଲୋକ ଭିଡ ବଢେଇ ସଂକ୍ରମଣ ବଢାଉଛନ୍ତି ପ୍ରଶାସନ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କୋଭିଡର ନୂଆ ଭାରିଆଣ୍ଟକୁ ନେଇ ଏବେ ସାରା ଦେଶରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଭାରତ ସମେତ ବିଶ୍ୱର ଏକାଧିକ ରାଷ୍ଟ୍ର ଓମିକ୍ରନ୍ ଭୂତାଣୁ କବଳରେ ସଂକ୍ରମିତ ହୋଇଥିବାବେଳେ, କରୋନାର ପ୍ରକୋପ ପୁଣିଥରେ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏପରି ସ୍ଥିତିରେ ବିଶେଷଜ୍ଞମାନେ ଟିକାକରଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଉଛନ୍ତି ।

ବିଶେଷଜ୍ଞ ଡାକ୍ତରମାନଙ୍କ କହିବାନୁସାରେ, ଟିକାକରଣ ହିଁ ଏହି ଓମିକ୍ରନ୍ ଭୂତାଣୁକୁ ରୋକିପାରିବ । ଏଥିପାଇଁ ପ୍ରତ୍ୟେକ ଲୋକ କୋଭିଡର ଦୁଇ ଡୋଜ୍ ଟିକା ନେବାକୁ ପରାମର୍ଶ ଦିଆଯାଉଛି । ଆଉ ଏଭଳି ସମୟରେ ପୁଡୁଚେରୀ ପ୍ରଶାସନ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରିଦେଇଛି । ଏହାପୂର୍ବରୁ ଦେଶର କୌଣସି ଅଞ୍ଚଳରେ କୋଭିଡ୍ ଟିକାକରଣକୁ ବାଧ୍ୟତାମୂଳକ କରାଯାଇନାହିଁ ।