ବ୍ରିଟେନରେ ଆଜିଠାରୁ କୋଭିଡ୍ ଟିକାକରଣ : ଲୋକଙ୍କୁ ଦିଆଯିବ ଫାଇଜର ଟିକା

ଗତ ସପ୍ତାହରେ ଜରୁରୀକାଳୀନ ଅନୁମୋଦନ ଦେଇଥିଲେ ବ୍ରିଟେନ ସରକାର

91

କନକ ବ୍ୟୁରୋ : ବ୍ରିଟେନରେ ଲୋକଙ୍କୁ ଆଜି ଠାରୁ ଫାଇଜର ଟିକା ଦେବା କାମ ଆରମ୍ଭ ହେବ । ଗତ ସପ୍ତାହରେ ବ୍ୟବହାର ପାଇଁ ଜରୁରୀକାଳୀନ ଅନୁମୋଦନ ଦେଇଥିଲା ବ୍ରିଟେନ ସରକାର । ଆମେରିକାର କମ୍ପାନୀ ଫାଇଜର ଓ ଜର୍ମାନୀର କମ୍ପାନୀ ବାୟୋ-ଏନ- ଟେକ୍ ମିଳିତ ଭାବେ ଏହି ଫାଇଜର ଟିକା ପ୍ରସ୍ତୁତ କରିଛନ୍ତି । କରୋନା ରୋକିବାରେ ଏହା ୯୫ ପ୍ରତିଶତ ଫଳପ୍ରଦ ବୋଲି ଶେଷ ପର୍ଯ୍ୟାୟ ପରିକ୍ଷଣ ପରେ ରିପୋର୍ଟ ପ୍ରକାଶ କରିଥିଲା ଫାଇଜର କମ୍ପାନୀ ।

କମ୍ପାନୀ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଫାଇଜର, ‘ଏମଆରଏନଏ’ ନାମକ ଏକ ସ୍ୱତନ୍ତ୍ର ପଦ୍ଧତିରେ ଟିକା ପ୍ରସ୍ତୁତ କରିଛି । ଏହି ପଦ୍ଧତିରେ ଜଣଙ୍କ ଦେହରେ କୋଡିଂ କରିଥାନ୍ତି ବିଶେଷଜ୍ଞ । ତାପରେ ଟିକା ଦିଆଯାଇଥାଏ । ଏହା କରୋନା ଭୂତାଣୁ ଦ୍ୱାର ସୃଷ୍ଟି ହୋଇଥିବା ସ୍ପାଇକ୍ ପ୍ରୋଟିନକୁ ନଷ୍ଟ କରେ ଓ ଆଂଟିବଡି ସୃଷ୍ଟି କରିଥାଏ । ଫଳରେ ଟିକା ନେବା ପରେ ଯଦି ଜଣେ କରୋନା ଭୂତାଣୁ ସଂସ୍ପର୍ଶରେ ଆସନ୍ତି, ତେବେ ଶରୀରରେ ସୃଷ୍ଟି ହୋଇଥିବା ଆଂଟିବଡି ଏହାକୁ ମୁକାବିଲା କରିବାରେ ସଫଳ ହୋଇଥାଏ ।

ସେପଟେ ଫାଇଜର ଟିକା ଭାରତରେ ବ୍ୟବହାର ହୋଇପାରିବ କି ନାହିଁ, ଏ ନେଇ ଚର୍ଚ୍ଚା ଲାଗି ରହିଛି । କାରଣ ଏହାକୁୁ ରଖିବା ଓ ପରିବହନ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ଆବଶ୍ୟକ । ତେବେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ଫାଇଜର ଇଣ୍ଡିଆ ।