ରାୟଗଡାରେ କରୋନା ଟିକା ନେବାକୁ ଆଗ୍ରହୀ ହେଉନାହାନ୍ତିି ଲୋକ। ଟାର୍ଗେଟ ଥିଲା ୧ ଲକ୍ଷ ୬ ହଜାର, ହେଲେ ନେଇଛନ୍ତି ମାତ୍ର ୩୧୧ ।

74

କନକ ବ୍ୟୁରୋ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିକୁ ରଖି ରାଜ୍ୟ ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ହେଲେ ସଚେତନତା ଅଭାବରୁ ରାୟଗଡା ଜିଲ୍ଲାରେ ଟିକାକରଣ ଅତ୍ୟନ୍ତ ନିରୁତ୍ସାହ ଜନକ ରହିଛି । ବିଶେଷ କରି ୪୫ ରୁ ୫୯ ବୟସ୍କ ବର୍ଗର ବ୍ୟକ୍ତି ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା ସରକାରୀ ତଥ୍ୟରୁ ଜଣାପଡିଛି । ଜିଲ୍ଲାରେ ୧ ଲକ୍ଷ ୬ ହଜାର ୨୮୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଆଜି ସୁଧା ମାତ୍ର ୩୧୧ ଜଣ ଟିକା ନେଇଛନ୍ତି ।

ଜିଲ୍ଲାରେ ଥିବା ସ୍ୱାସ୍ଥ୍ୟ ବିଭାଗର ୮ହଜାର ୪୩୯ ଯୋଦ୍ଧାଙ୍କ ମଧ୍ୟରୁ ୭ ହଜାର ୩୮ଜଣ ଏବଂ ୫ହଜାର ୯୪୧ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଟିକା ନେଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗର ୫ ହଜାର ୧୪୮ ଜଣ, ଏବଂ ୨ ହଜାର ୩୨୮ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦେବା ପରେ ସରକାର ୪୫ ରୁ ୫୯ ବର୍ଷ ବୟସ୍କ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ପ୍ରାଧାନ୍ୟ ଦେଇଛନ୍ତି ।

ମଧୁମେହ, ଉଚ୍ଚ ରକ୍ତଚାପ ସହ ଅନ୍ୟ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ସରକାର କହୁଛନ୍ତି । କିନ୍ତୁ ଏହି ଶ୍ରେଣୀର ବ୍ୟକ୍ତି କରୋନା ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଦୈନିକ ୫୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି କିନ୍ତୁ ଲୋକେ ଟିକା ନେବାକୁ ଆଗ୍ରହ ପ୍ରକାଶ କରୁନଥିବାରୁ ସ୍ୱାସ୍ଥ୍ୟ ବିଭାଗକୁ ନାକେଦମ ହେବାକୁ ପଢୁଛି । ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀ ଗାଁ ଗାଁ ବୁଲି ଲୋକଙ୍କୁ ଡାକିବାକୁ ପଡୁଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।