କନକ ବ୍ୟୁରୋ: ରାୟଗଡା ଜିଲ୍ଲା ନିୟମଗିରି ପାହାଡ ଉପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଉ ସ୍ୱାସ୍ଥ ବିଭାଗ ପକ୍ଷରୁ ଟେଷ୍ଟିଂ ଟ୍ରେସିଙ୍ଗକୁ ମଧ୍ୟ ଜୋରଦାର କରାଯାଇଛି, ସେପଟେ ମାଲକାନଗିରି ବଣ୍ଡା ଘାଟିରେ କୋରୋନା ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣରେ ରହିଥିବା ବେଳେ ସେଠାରେ ଗାଁକୁ ଗାଁ ଯାଇ ବଣ୍ଡା ସମ୍ପ୍ରଦାୟର ଲୋକଙ୍କୁ ଅଧିକରୁ ଅଧିକ ପରିମାଣରେ ଭ୍ୟାକ୍ସିନେସନ କରାଯାଉଛି । ଉଭୟ ଡଙ୍ଗରିଆ କନ୍ଧ ଓ ବଣ୍ଡା ସମ୍ପ୍ରଦାୟର ଲୋକେ ନିୟମକୁ ମାନୁନଥିବା ସହ ସେମାନଙ୍କ ଘରଦ୍ୱାର ଓ ପ୍ରାକୃତିକ ପରିବେଶ ମଧ୍ୟରେ କୋରନାର ନିତି ନିୟମ ପାଳନ କରାଇବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଂଜ । ତେଣୁ ଘାଟି ଉପରେ ଟେଷ୍ଟିଙ୍ଗ, ଟ୍ରେସିଙ୍ଗକୁ ଅଧିକ ଜୋର ଦେଇଛି ପ୍ରଶାସନ ।
ବଣ୍ଡାଘାଟିର ଗାଁ ଗାଁ ରେ ସ୍ୱାସ୍ଥ୍ୟ ପରୀକ୍ଷାକୁ ଜୋରଦାର କରଛି ପ୍ରଶାସନ । ମଦୁଲିପଡାର ସମସ୍ତ ୩୨ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ ପହଁଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଅସୁସ୍ଥ ଥିବା ଗ୍ରାମବାସୀଙ୍କ ସ୍ୱାବ ପରୀକ୍ଷା କରାଯାଇଛି । ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ଚାଲିଚଳଣ ଅନ୍ୟ ଆଦିବାସୀଙ୍କ ଠାରୁ ସମ୍ପୂର୍ଣ ଭିନ୍ନ । ଗୋଟିଏ ବଖରା ଘର ଭିତରେ ପରିବାର ସହ ସେମାନେ ଜୀବନଯାପନ କରନ୍ତି । ଆଉ କରୋନାର ନିୟମକୁ ସହଜରେ ଗ୍ରହଣ କରି ପାରୁନାହନ୍ତି ଏମାନେ ।
ପ୍ରଥମେ ଅନକାଡେଲି ସାପ୍ତାହିକ ହାଟକୁ ଯାଇ ୧୨ ଜଣ ବଣ୍ଡା କରୋନା ସଂକ୍ରମିତ ହୋଇଥିବା ବେଳେ ଗତ ସପ୍ତାହ ମଧ୍ୟରେ ବଣ୍ଡା ଘାଟିରେ ଆଉ ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ବଣ୍ଡାଘାଟିର ଦୁଇଟି ପଂଚାୟତରେ ସ୍ୱାସ୍ଥ ବିଭାଗର ସ୍ୱତନ୍ତ୍ର ଟିମ ୬୦୦ ରୁ ଅଧିକ ନମୁନା ସଂଗ୍ରହ କରିଥିବା ବେଳେ ସବୁ ନେଗେଟିଭ ଥିବା ଜଣା ପଡିଛି । ସେହିପରି ବଣ୍ଡା ଘାଟିରେ ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ ପ୍ରାୟ ୭୫୦ ଜନଜାତିର ଲୋକେ ଟିକାର ପ୍ରଥମ ଯୋଜ ନେଇ ସାରିଛନ୍ତି । ୨୦୦ ଜଣ ଦିତୀୟ ଡୋଜ ନେଇ ସାରିଥିବା ସୂଚନା ଦେଇଛନ୍ତି ଘାଟିରେ ମୂତୟନ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ଡାକ୍ତର ଦେବବ୍ରତ ବାରିକ ।
ତେବେ ବଣ୍ଡାଘାଟି ତୁଳନାରେ ନିୟମଗିରି ଗାଁର ସ୍ଥିତି ଅଲଗା । ଏଠାରେ ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ବି ବିଷମକଟକ, ମୁନିଗୁଡା ଓ କଲ୍ୟାଣସିଂହପୁର ଅଂଚଳର ଅଧିକାଂଶ ଡଙ୍ଗରିଆ ମାନେ ସ୍ୱାବ ନମୁନା ଦେବା ପାଇଁ ରାଜି ହେଉନାହାନ୍ତି । ତେବେ ପ୍ରଶାସନ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପକ୍ଷରୁ ବୁଝାସୁଝା କରାଯାଇ ଡଙ୍ଗରିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ପଜିଟିଭ ଚିହ୍ନଟ ହେଉଥିବା ଲୋକଙ୍କୁ ୧୪ ଦିନର ରାସନ ସାମଗ୍ରୀ ପ୍ରଦାନ କରି ସଂଗରୋଧରେ ରହିବାର ବ୍ୟବସ୍ଥା କରାଯାଉଛି ।
କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକରେ ରାୟଗଡା ପ୍ରଶାସନ ପକ୍ଷରୁ ମାତ୍ର ୨୫୩ଟି ସ୍ୱାବ ନମୁନା ସଂଗ୍ରହ କରା ଯାଇଥିବା ବେଳେ ସେଥିରୁ ୧୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ କେବଳ ବିଷମ କଟକରେ ମାତ୍ର ୨୮ ଜଣଙ୍କୁ ପ୍ରଥମ କରୋନା ଡୋଜ ଦିଆଯାଇଛି । ତେବେ ସୋମବାର ଠାରୁ ମୁନିଗୁଡା ସମେତ, କଲ୍ୟାଣସିଂହପୁର ଓ ବିଷମକଟକରେ ଟେଷ୍ଟିଙ୍ଗ ଓ ଭ୍ୟାକ୍ସିନେସନ୍ ପ୍ରକ୍ରିୟାକୁ ଜୋରଦାର କରାଯିବ ବୋଲି ସୁଚନା ମିଳିଛି । ତେବେ ଡଙ୍ଗରିଆଙ୍କ ଆଇସୋଲେସନ ଓ ଖାଦ୍ୟ ସାମଗ୍ରୀ ସହ ସେମାନଙ୍କ ଜଙ୍ଗଲ ଜାତ ଦ୍ରବ୍ୟ ପ୍ରଶାସନ ପକ୍ଷରୁ କିଣାଯିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ।
ରାୟଗଡା ନିୟମଗିରିରେ ୧୧ ଡଙ୍ଗରିଆଙ୍କ ସମେତ ବଣ୍ଡାଘାଟିରେ ୭ ହଜାର ବଣ୍ଡା ବସବାସ କରନ୍ତି । ତେବେ ରାୟଗଡା ତୁଳନାରେ ମାଲାକନଗିରିର ବଣ୍ଡାମାନେ ଧିରେ ଧିରେ ସଚେତନ ହୋଇ କରୋନାର ନୀତି ନିୟମ ପାଳନ କରିବା ଆରମ୍ଭ କରିଛନ୍ତି । ଏହି କ୍ରମରେ ପଛରେ ପଡିିଛି ରାୟଗଡା ଜିଲ୍ଲା ପ୍ରଶାସନ ।