ଟିକା ନେଉଛି ଓଡ଼ିଶା…। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଟିକାଦାନ । ମେଡିକାଲ କଲେଜରେ ୫ଟି ଟିକାଦାନ କେନ୍ଦ୍ର

୨୫ ସୁଦ୍ଧା ସରିବ ପ୍ରଥମ ପର୍ଯ୍ୟାୟ ଟିକାଦାନ

159

କନକ ବ୍ୟୁରୋ: ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେଉଛି । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନରେ ଟିକା ଦିଆଯିବ ।

ଆଜିଠୁ ପୁଣି ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ଦ୍ୱିତୀୟ ଦିନରେ ୩୮୦ ସେସନ ମାଧ୍ୟମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରକ୍ଷାଯାଇଛି । ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ । ପୂର୍ବରୁ ୧୩ହଜାର ୮୯୦ ଲୋକଙ୍କୁ ଟିକାକରଣ କରାଯାଇଥିଲା । କେଉଁ ଦିନ କେତେ ସେସନରେ ଟିକା କରଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି । ୧୯ ତାରିଖରେ ୧୯୨ଟି ସେସନରେ ହେବ ଟିକାକରଣ ।
୨୦ ତାରିଖରେ ୯୨ଟି ସେସନରେ ହେବ ଟିକାକରଣ । ୨୧ ତାରିଖରେ ୪୩୬ଟି ସେସନରେ ହେବ ଟିକାକରଣ । ୨୨ ତାରିଖରେ ୧୪୧ଟି ସେସନରେ ହେବ ଟିକାକରଣ । ୨୩ ତାରିଖରେ ୧୭୮ଟି ସେସନରେ ହେବ ଟିକାକରଣ । ୨୫ ତାରିଖରେ ୨୭୯ଟି ସେସନରେ ହେବ ଟିକାକରଣ । ଯେଉଁମାନେ ଯେଉଁଦିନ ଟିକା ନେଇଥିବେ ତାର ୨୮ ଦିନ ପରେ ସେକେଣ୍ଡ ଡ଼ୋଜ ନେବେ ।

ତେବେ ପ୍ରଥମ ଦିନରେ ଅର୍ଥାତ ଶନିବାର ଧାର୍ଯ୍ୟ ଲକ୍ଷ୍ୟର ୮୫ପ୍ରତିଶତ ଅର୍ଥାତ୍ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଛି । ସେହିପରି ୬ଟି ଜିଲ୍ଲାରେ ପ୍ରଥମ ଦିନରେ ୧୦୦% ଟିକାକରଣ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଟିକାକରଣ ପରେ ପାଶ୍ୱର୍ ପ୍ରତିକ୍ରିୟା ନେଇ ରାଜ୍ୟର ବିଶେଷ କୌଣସି ଖବର ଆସିନଥିବା ବେଳେ ପ୍ରଥମେ ଟିକା ନେଇଥିବା ବ୍ୟକ୍ତି ଭଲ ଥିବା କହିଛନ୍ତି ।