କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ୪ଟି ମହାନଗର ନିଗମ କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଟିକା ଦିଆଯାଉଛି । ଏଥିପାଇଁ ଲୋକସଂଖ୍ୟା ଆଧାରରେ ୪ ମହାନଗରକୁ ଟିକା ପଠାଯାଇଥିଲା । କଟକ ମହାନଗର ନିଗମକୁ ସର୍ବାଧିକ ୩୨ ହଜାର ୮୦୦, ରାଉରକେଲା ମହାନଗର ନିଗମକୁ ୨୭ ହଜାର ୩୦୦, ସମ୍ବଲପୁର ମହାନଗର ନିଗମକୁ ୨୦ ହଜାର ୯୦୦ ଏବଂ ବ୍ରହ୍ମପୁର ମହାନଗର ନିଗମକୁ ୧୯ ହଜାର ଡୋଜ୍ ଟିକା ଦିଆଯାଇଛି ।
ସେପଟେ ଆଜି ସାରାରାଜ୍ୟରେ ମୋଟ୍ ୫୪୯ଟି ଅଧିବେଶନରେ ଟିକାକରଣ ହେଉଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ଆଜି ସୁଦ୍ଧା ଭାରତ ସରକାର ଦେଇଥିବା ୧ଲକ୍ଷ ୫୭ ହଜାର ୨୭୦ ଡୋଜ୍ ଏବଂ ଓଡିଶା ସରକାର ନିଜେ କିଣିଥିବା ୧ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମହଜୁଦ ଅଛି । ଏଥିସହ ୩ ଲକ୍ଷ ୩୧ ହଜାର ୬୦ ଡୋଜ୍ କୋଭାକ୍ସିନ ଟିକା ଭାରତ ସରକାର ଦେଇଥିବାବେଳେ ରାଜ୍ୟ ପାଖରେ ନିଜସ୍ୱ ୯୯ ହଜାର ୫୫୦ ଡୋଜି କୋଭାକ୍ସିନ ଟିକା ମହଜୁଦ ଅଛି । କୋ-ୱିନ ପୋର୍ଟାଲରେ ପଞ୍ଜିକରଣ କରିଥିବା ହିତାଧିକାରୀଙ୍କୁ ଟିକାକେନ୍ଦ୍ରରେ ଟିକାକରଣ କରାଯାଉଛି ।