କରୋନାରୁ ସୁରକ୍ଷା ଦେବ କେଉଁ ମାସ୍କ ? ଜାଣନ୍ତୁ ଏ ନେଇ କ’ଣ କହିଲେ ଆମେରିକା ବିଶେଷଜ୍ଞ

286

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିପାରେ ଲାଗିଛି । କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପ୍ରମୁଖ ଅସ୍ତ୍ର ବୋଲି କୁହାଯାଉଛି । ତେବେ କେଉଁ ମାସ୍କ ପିନ୍ଧିବା ଆବଶ୍ୟକ । କେଉଁ ମାସ୍କ ଆପଣଙ୍କୁ କରୋନାରୁ ସୁରକ୍ଷା ଦେଇପାରିବ । ଆମେରିକା ସେଂଟର ଫର ଡିଜିଜ୍ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ୍ ବା ସିଡିସି ଏନେଇ ସ୍ପଷ୍ଟ ସୂଚନା ଦେଇଛି । ସିଡିସିର ସୂଚନା ଅନୁସାରେ ଲୋକେ ଲଗାତର ପିନ୍ଧୁଥିବା କପଡା ମାସ୍କ କରୋନାର ନୂଆ ଭ୍ୟାରିଆଂଟରୁ ଅଧିକ ସୁରକ୍ଷା ଦେଉନାହିଁ ।

ସର୍ଜିକାଲ ମାସ୍କ ଓ ଏନ୍-୯୫ ମାସ୍କ ତୁଳନାରେ କପଡ଼ା ମାସ୍କ ଅଧିକ ସୁରକ୍ଷା ଦେଇନଥାଏ । ଲୋକେ ଏନେଇ ପୂର୍ବରୁ ଅବଗତ ଥିଲେ ମଧ୍ୟ ସିଡିସି ଏନେଇ ସ୍ପଷ୍ଟ ସୂଚନା ଦେଇଛି । କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେତେକ ବିଶେଷଜ୍ଞ କହିଛନ୍ତି ଭାଇରସ୍କୁ ରୋକିବାରେ କପଡା ମାସ୍କ ପର୍ଯ୍ୟାପ୍ତ ନୁହଁ । ତେଣୁ ଏନ୍-୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କାରଣ ଏନ୍-୯୫ ମାସ୍କ ସମସ୍ତ ବାୟୁବାହୀ କଣିକାର ୯୫ ପ୍ରତିଶତ ଫିଲ୍ଟର କରିପାରେ । ଏହା ସହ ସିଡିସି ପକ୍ଷରୁ କୁହାଯାଇଛି, ସଂକ୍ରମିତ ରୋଗୀଙ୍କ ସହ କଥାବାର୍ତା କରିବା ସମୟରେ ଡାକ୍ତର ଓ ନର୍ସମାନେ ନିୟମିତ ସର୍ଜିକାଲ ମାସ୍କ ପିନ୍ଧିବା ଆବଶ୍ୟକ ।

ସିଡିସି ପକ୍ଷରୁ କୁହାଯାଇଛି ଯେ, ମାସ୍କ ପିନ୍ଧିବା ସମୟରେ ନିଶ୍ୱାସ ନେବା ଦ୍ୱାରା କାର୍ବନ ଡାଇଅକ୍ସାଇଡ୍ର ସ୍ତର ବୃଦ୍ଧି ପାଇନଥାଏ । ଅଧିକ ସମୟ ଏନ୍-୯୫ ମାସ୍କ ପିନ୍ଧିବା ଦ୍ୱାରା ଅସ୍ୱାଭାବିକ ଲାଗିଥାଏ । ତେବେ ଏନ୍-୯୫ ମାସ୍କକୁ କିପରି କରିବେ ବ୍ୟବହାର । ଏହି ମାସ୍କକୁ ଥରେ ପିନ୍ଧିବା ପରେ ଖରାରେ ଶୁଖାଇଦେବା ଦରକାର । ଏହା ଦ୍ୱାରା ମାସ୍କରେ ଥିବା ଜୀବାଣୁ ମରିଯାଇଥାଏ । ଥରେ ପିନ୍ଧିବାର କିଛି ଦିନ ପରେ ଆଉ ଥରେ ପିନ୍ଧିବା ଦରକାର ।