ଆଂଶିକ ତାଲାବନ୍ଦ ଅବଧି ସରିବା ପରେ କଟକଣା କୋହଳକୁ ନେଇ ଚର୍ଚ୍ଚା : ଆଜି ଆସିପାରେ ନୂଆ ଗାଇଡଲାଇନ୍; ବଡ ପ୍ରଶ୍ନ, ଖୋଲିବ କି କଟକ-ଭୁବନେଶ୍ୱର

1,404

କନକ ବ୍ୟୁରୋ : କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟା ଦୋହଲି ଯାଇଛି, ଜୀବନକୁ ସୁରକ୍ଷା ଦେବାକୁ ଯାଇ ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି । ଏହି ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ, କଟକଣା ଭିତରେ କେତେ ଦିନ ଓ କେମିତି ଜୀବିକା ନିର୍ବାହ କରିବ ସାଧାରଣ ମଣିଷ ?

ସଂକ୍ରମଣ ହାରକୁ ଦେଖି ସରକାର ୩୦ଟି ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ । ‘କାଟାଗୋରି-ବି’ରେ ଥିବା ୧୦ଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଥିବାରୁ କଟକଣା ଅଧିକ ରଖିଥିଲେ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ କିଛି ଜିଲ୍ଲାରେ ସଂକ୍ରମଣ ଯଥେଷ୍ଟ କମିଛି । କିନ୍ତୁ ଖୋର୍ଦ୍ଧା, କଟକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ହାର ଆଶାନୁରୂପ କମୁ ନାହିଁ। ଏଠାରେ ବିଶେଷଜ୍ଞମାନଙ୍କ ଆକଳନ କାମ ଦେଉନି । ଯଦିଓ ଭୁବନେଶ୍ବରରେ ଟିକାକରଣ ସର୍ବାଧିକ ହୋଇଛି, କିନ୍ତୁ ମୋଟ୍‌ ଉପରେ ଖୋର୍ଦ୍ଧା ଜିଲ୍ଲାର ସଂକ୍ରମଣ ରାଜ୍ୟରେ ଅଧିକ ରହୁଛି । ତେଣୁ ‘କାଟାଗୋରି-ବି’ରେ ଥିବା କିଛି ଜିଲ୍ଲାକୁ ‘କାଟାଗୋରି-ଏ’କୁ ଆଣି ସରକାର ସେଠାରେ କଟକଣା କୋହଳ କରିବେ ନା ପୁଣି ‘କାଟାଗୋରି-ବି’ର ସବୁ ଜିଲ୍ଲାରେ କଟକଣା ବଳବତ୍ତର ରଖିବେ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

୧୬ ତାରିଖ ପରେ ସରକାର ଯଦି ଆଖିବୁଜା କଟକଣା ଜାରି ରଖନ୍ତି, ତେବେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ରହିଛି। କାରଣ ଏହା ମଧ୍ୟରେ ବିଭିନ୍ନ ଜୀବିକାରେ ଥିବା ଲୋକମାନେ ଆନ୍ଦୋଳନକୁ ଓହ୍ଲାଇ ସାରିଲେଣି। ଜୀବିକାକୁ ସ୍ବାଭାବିକ ସ୍ଥିତିକୁ ନ ଆଣିଲେ ବହୁ ଲୋକଙ୍କ ପାଇଁ ଦୁଇ ଓଳି ଖାଇବା ଯୋଗାଡ଼ କରିବା ଅସମ୍ଭବ ‌ହୋଇପଡ଼ିବ। ତେଣୁ ସରକାର ସଂକ୍ରମଣକୁ ମୁକାବିଲା ସହ ଜୀବିକାକୁ ସ୍ବାଭାବିକ କରିବା ପାଇଁ କି ରଣନୀତି ଆପଣାଉଛନ୍ତି, ତାହା ଉପରେ ସବୁ ନିର୍ଭର କରୁଛି।