କୋଭିଡ ସ୍ଥିତି ଛଡ଼ାଇ ନେଇଛି ବାଉଁଶ କାରିଗରଙ୍କ ରୋଜଗାର । ବାଉଁଶ ସମାଗ୍ରୀର ବିକ୍ରିବଟା ନାହିଁ । କେମିତି ଚଳାଇବେ ପରିବାର ?

72

କନକ ବ୍ୟୁରୋ: ଲକଡାଉନ ସମୟରେ ଚିନ୍ତାରେ ୪୦ ବାଉଁସ କାରିଗର ପରିବାର । ବେପାର ହେଉନି । କିଣି ପାରୁନାହାଁନ୍ତି କଂଚାମାଲ । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିବା କଥା କହିଛନ୍ତି ପରିବାର ସଦସ୍ୟ । ସରକାରି ସହାୟତାକୁ ଅପେକ୍ଷା । ନହେଲେ ବୁଡିବ ବେଉସା ।

ଘରର କାମଧନ୍ଦା ସାରି ବଳକା ସମୟରେ ବାଉଁଶ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏହି ମହିଳାମାନେ । କିଏ କୁଲା ବୁଣୁଛୁ, ତ କିଏ ଡାଲା, ପାଛିଆ, ଏମିତି କେତେ କଣ । ପରିଶ୍ରମ ସିନା କରୁଛନ୍ତି, କିନ୍ତୁ କରୋନା କଟକଣା ଯୋଗୁଁ ପାରିଶ୍ରମିକ ମିଳୁନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଓଳାଭର ପାତୁଳି ଗାଁର ବାବା ପାତାଳେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠିର ମହିଳାମାନେ ବାଉଁସରେ ର୍ନିମିତ ଏସବୁ ସାମଗ୍ରୀ ବିକ୍ରି କରି ଗୁଜୁରାଣ ମେଂଟାଇଥାନ୍ତି ।

ଗାଁ ଗାଁ ବୁଲି କୁଲା, ଡାଲା, ବାଉଁଶିଆ, ପାଛିଆ, ଫୁଲ ଚାଙ୍ଗୁଡି ବିକ୍ରି କରିଥାନ୍ତି କାରିଗର । ରାଜକନିକା, ଆଳି ଓ ଚାନ୍ଦବାଲି ବଜାରରେ ବି ବିକ୍ରି କରୁଥିଲେ, ହସ ଖୁସିରେ ପରିବାର ଚଳୁଥିଲା । କିନ୍ତୁ ଏବେ କରୋନା କଟକଣା ଯୋଗୁଁ ବେପାର ବଟାରେ ତାଲା ପଡିଛି । ବାଉଁଶ ତିଆରି ସାମଗ୍ରୀ ଘରେ ପଡି ରହିଛି । ଏଭଳି ସ୍ଥିତିରେ ପକେଟ୍ରେ ପଇସା ନାହିଁ, ତେଣୁ ପିଲାଙ୍କୁ ପାଠ ପଢିବା ପାଇଁ ଖାତା-କଲମ ଯୋଗାଇ ପାରୁନଥିବା କୁହନ୍ତି କାରିଗର ।