କରୋନାର କରୁଣ କାହାଣୀ: ରାୟଗଡ଼ା ଗୁଣୁପୁରରେ ଦିନକରେ ବାପ ପୁଅଙ୍କ ମୃତ୍ୟୁକୁ ନେଇ ସହରରେ ଚାଞ୍ଚଲ୍ୟ, ମସଲା ଫ୍ୟାକ୍ଟ୍ରି ନିର୍ମାଣ କରି ବ୍ୟବସାୟ ପାଇଁ କରୁଥିଲେ ପ୍ରସ୍ତୁତି ।

266

କନକ ବ୍ୟୁରୋ: କରୋନାର କରାଳ ରୂପ । ପରିବାରରୁ ମୁଖିଆ ଛଡ଼େଇ ନେଲା ସଂକ୍ରମଣ । ୨୪ ଘଂଟା ଭିତରେ ଆଗ ପଛ ହୋଇ ଚାଲିଗଲେ ବାପା ଓ ପୁଅ । ଏଭଳି ଅଭାବନୀୟ ଘଟନା ଘଟିଛି ଗୁଣୁପୁର ସହର ପୁରୁଣାପୋଷ୍ଟ ଅଫିସ ସାହିରେ । କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୪ ଘଂଟା ମଧ୍ୟରେ ବାପା ଚନ୍ଦ୍ରଶେଖର ସାହୁ ଓ ପୁଅ ବାପୁ ସାହୁଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ କିଛି ଦିନ ତଳେ ଚନ୍ଦ୍ରଶେଖର ସାହୁ ପ୍ରଥମ କରୋନା ସଂକ୍ରମିତ ହୋଇଥିଲେ । ସେ ଦୀର୍ଘ ଦିନ ଧରି ମଧୁମେହ ରୋଗରେ ପୀଡିତ ଥିବାବେଳେ ପ୍ରଥମେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଜେକେ କୋଭିଡ କେୟାରକୁ ସ୍ଥାନାନ୍ତର ହୋଇଥିଲେ । ପରିବାର ଅନ୍ୟ ସଦସ୍ୟମାନଙ୍କ ୁକୋଭିିଡ ପରୀକ୍ଷା କରିଥିବା ବେଳେ ତାଙ୍କ ପୁଅ ବାପୁସାହୁ ମଧ୍ୟ ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ତାଙ୍କର ମଧ୍ୟ ଅବସ୍ତା ଗୁରୁତର ହେବାରୁ ଜେକେ କୋଭିଡ କେୟାରକୁ ସ୍ଥାନାନ୍ତର କରଯାଇଥିଲା । ସେଠାରେ ଉଭୟବାପା ଓ ପୁଅଙ୍କ ଚିକିତ୍ସା ଚାଲିଥିବା ବେଳେ ଗୁରୁବାର ବିଳମ୍ବିତରାତିରେ ପ୍ରଥମେ ପୁଅ ଓ ଶୁକ୍ରବାର ରାତିରେ ବାପା ଆଖି ବୁଜିଥିଲେ ।

ତେବେ କୋଭିଡଗାଇଡଲାଇନ ଅନୁଯାୟୀ ସେଠାରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଚନ୍ଦ୍ରଶେଖରସାହୁ ଓ ବାପୁ ଉଭୟ ବ୍ୟବସାୟୀ ଭାବେ ଗୁଣୁପୁର ସହରରେ ପରିଚିତ । ନିକଟରେ ବାପୁ ସାହୁ ବ୍ୟାଙ୍କରୁ ଋଣ ନେଇ ଗୁଣୁପୁର ବ୍ଲକ ସିିରିଝୋଲି ଗାଁରେ ଏକ ମସଲା ଫ୍ୟାକ୍ଟ୍ରି ନିର୍ମାଣ କରି ବ୍ୟବସାୟ ଆରମ୍ଭ କରିବାକୁ ପ୍ରସ୍ତୁତି ଚଳାଇଥିଲେ । ମସଲା ଫ୍ୟାକ୍ଟ୍ରି ମେସିନ ଇନଷ୍ଟାଲେସନ ପାଇଁ ବାହାର ରାଜ୍ୟରେ ଟେକ୍ନିସିଆନ୍ ଆସିଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଚର୍ଚ୍ଚା ହେଉଛି । ସେମାନଙ୍କର ସାହୁ ଇଲେକ୍ଟ୍ରୋନିକସ ନାମରେ ଏକ ଦୋକାନ ମଧ୍ୟ ଥିଲା ।