କନକ ବ୍ୟୁରୋ : କରୋନାର ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାର ଜିରୋ ନାଇଟ୍ ପାଳନ, ନୂଆ ବର୍ଷକୁ ସ୍ବାଗତ ଆଦି କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଛନ୍ତି । ସାରା ରାଜ୍ୟରେ ଡିସେମ୍ବର ୩୧ ଓ ଜାନୁଆରି ୧ରେ କୌଣସି ହୋଟେଲ, ରେସ୍ତୋରାଁ, କ୍ଲବ୍, ପାର୍କ ଏବଂ ଅନ୍ୟ ସର୍ବସାଧାରଣ ସ୍ଥାନରେ ଏହିଭଳି କାର୍ଯ୍ୟକ୍ରମ ହୋଇପାରିବନି । ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଡିସେମ୍ବର ୧ରୁ ଆସନ୍ତା ଜାନୁଆରି ୧ ସକାଳ ୫ଟା ପର୍ଯ୍ୟନ୍ତ ନିୟମାବଳୀ ଜାରି କରାଯାଇଛି ।
ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମସ୍ତ କାର୍ଯ୍ୟକ୍ରମ ଉପରୁ କଟକଣା ଉଠିଥିଲେ ହେଁ ନୂଆବର୍ଷକୁ ନଜର ରଖି ଡିସେମ୍ବର ୩୧ ଓ ଜାନୁଆରି ୧ରେ ପାଳନ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ଏହାସହ ଡିସେମ୍ବର ୩୧ ଓ ଜାନୁଆରି ୧ରେ ସର୍ବସାଧାରଣ ସ୍ଥାନରେ କୌଣସି ବଣଭୋଜି ବି ହୋଇପାରିବନି । ଏହି ନିର୍ଦ୍ଦେଶନାମାରେ କିନ୍ତୁ ବଡ଼ଦିନ, ଡିସେମ୍ବର ୩୧ ଓ ନୂଆବର୍ଷରେ ଚର୍ଚ୍ଚରେ ଶ୍ରଦ୍ଧାଳୁଙ୍କ ସମାବେଶ ଉପରେ କିଛି କଟକଣା ଲଗାଯାଇନି ।
ସେହିପରି ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଯେଉଁ ସବୁ କଟକଣା ଜାରି ହୋଇଛି ତାହା ଜାରି ରହିବ । ଏବେ ବିବାହ ଋତୁ ଚାଲିଥିଲେ ହେଁ ଏଥିରେ କିଛି କୋହଳ ହୋଇନି । ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୨୫୦ଜଣ ଯୋଗଦେଇପାରିବେ । ବରଯାତ୍ରୀ ଦଳ ୫୦ଜଣ ଭିତରେ ସୀମିତ ରହିବ ବୋଲି କୁହାଯାଇଛି । ଏସବୁବାଦ୍ ଆଗକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବାରୁ ଜିଲ୍ଲା ସ୍ତରେର କୋଭିଡ ହସ୍ପିଟାଲ, ଆଇସିୟୁ ଶଯ୍ୟା ଭର୍ତ୍ତି ଉପରେ ନଜର ରଖିବାକୁ କୁହାଯାଇଛି । ଯେଉଁମାନେ ନିୟମ ମାନିବେନି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।
ଜିରୋ ନାଇଟ ସେଲିବ୍ରସନ ପାଳ ନେଇ କଣ କହିଛନ୍ତି ରାଜ୍ୟ ସରକାର ?
-ଜିରୋ ନାଇଟ୍ ସେଲିବ୍ରେସନ ମନା
-୩୧ ତାରିଖ ରାତିରେ ହେବନି କୌଣସି କାର୍ଯ୍ୟକ୍ରମ
-ନୂଆବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ୍ ଉପରେ କଟକଣା
-ହୋଟେଲ , ରେଷ୍ଟୁରାଂଟ , କ୍ଲବ ଓ ପାର୍କରେ ଏକାଠି ହେବା ମନା
-କ୍ଲବ, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପରେ ଜନସମାଗମ ମନା
-୩୧ ଡିସେମ୍ବର ଓ ୧ ଜାନୁାଆରୀ ପାଇଁ ଏହି କଟକଣା
ଡିସେମ୍ବରରେ କରୋନା ଗାଇଡଲାଇନରେ କଣ କଣ ରହିଛି ?
-କରୋନା ସଂକ୍ରମିତଙ୍କ ସଂଖ୍ୟା ଉପରେ ସତର୍କ ଦୃଷ୍ଟି ରଖ
-ହସ୍ପିଟାଲ, ଆଇସିୟୁ ବେଡର ରୋଗୀସଂଖ୍ୟା ଉପରେ ନଜର ରଖ
-ପର୍ବପର୍ବାଣୀରେ କୋଭିଡ ସ୍ଥିତି ଉପରେ ରହିବ କଡା ନଜର
-୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ କଟକଣା ଲାଗୁ ରହିବ
-ରାତି ୧୦ରୁ ସକାଳ ୫ ଯାଏଁ ସହରାଚଂଳରେ ନାଇଟ କର୍ଫ୍ୟୁ ବଳବତର
-ରାଜ୍ୟର କୌଣସି ସ୍ଥାନରେ ସପ୍ତାହାନ୍ତ ସଟ୍ଡାଉନ ହେବନି
-ପ୍ରଦର୍ଶନୀ, ଏକ୍ସପୋ,ମେଳା, ବାଣିଜ୍ୟ ମେଳା ଉପରେ କଟକଣା