କନକ ବ୍ୟୁରୋ : କରୋନା ଟେଷ୍ଟ ପାଇଁ ସରକାର ସବୁ ବ୍ୟବସ୍ଥା କରିଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶତ ପ୍ରତିଶତ ଲକ୍ଷଣ ଥିବା ରୋଗୀ କରୋନା ପରୀକ୍ଷଣ ପାଇଁ ପହଞ୍ଚି ନିରାଶ ହେଉଛନ୍ତି। ନିଜର ସ୍ବାସ୍ଥ୍ୟ ପାଇଁ ଚିନ୍ତାରେ ଥିବା ରୋଗୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ଦିଆଯାଉନଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦଶରଥପୁର ଅଞ୍ଚଳରେ ଆରଡବ୍ଲୁଏସଏସ ବିଭାଗ ପାଇଁ କାର୍ଯ୍ୟ କରୁଥିବା ଠିକା ସଂସ୍ଥାର ଜଣେ ଯୁବ କର୍ମଚାରୀ ସୁମନ୍ତ ପୃଷ୍ଟି(୨୩) ଦୁଇ ଦିନ ହେଲାଣି ଜ୍ୱର ,ଥଣ୍ଡା ସହ କରୋନାର ସବୁ ଲକ୍ଷଣ ଅନୁଭବ କରି ଯାଜପୁର ମୁଖ୍ୟଚିକିତ୍ସାଳୟରେ ନିଜର କରୋନା ପରୀକ୍ଷଣ ପାଇଁ ଆଗ୍ରହୀ ହୋଇଥିଲେ।

Advertisment

publive-imageତେବେ ସେ ପ୍ରଥମେ ବହିଃ ବିଭାଗରେ ଡାକ୍ତରଙ୍କୁ ଲକ୍ଷଣ କହିବା ପରେ ଡାକ୍ତର ତାଙ୍କୁ କରୋନା ଟେଷ୍ଟ କରିବାକୁ ପ୍ରେସ୍କିପସନ୍ ରେ ଲେଖିଥିଲେ। କିନ୍ତୁ ଯୁବକ ଜଣକ ଯେତେବେଳେ କରୋନା ସେଲରେ ପହଞ୍ଚିଥିଲେ ତାଙ୍କୁ ଉପସ୍ଥିତ ଡାକ୍ତର କିଛି ଟେଷ୍ଟ ଜରୁରୀ ନୁହେଁ କେବଳ କିଛି ଥଣ୍ଡା ଔଷଧ ଲେଖି ଖାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଡାକ୍ତରଙ୍କ ଏପରି ପରାମର୍ଶକୁ ଗ୍ରହଣ କରିପାରିନଥିଲେ ଯୁବକ। କାରଣ ସେ ନିଜେ କରୋନା ସଂକ୍ରମିତ ବୋଲି ଅନୁଭବ କରୁଥିବାରୁ ତାଙ୍କର ଟିମ ମେମ୍ବର ଓ ପରିବାରକୁ ସଂକ୍ରମଣ ମୁକ୍ତ କରିବାକୁ ସେ ନିଜର ପରୀକ୍ଷଣ କରିବାକୁ ଚାହିଁଥିଲେ। ସେ ଡାକ୍ତରଙ୍କୁ ବହୁବାର ବୁଝାଇଥିଲେ ମଧ୍ୟ ଡାକ୍ତର ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ। ବାଧ୍ୟ ହୋଇ ନିରାଶ ଯୁବକ ଜଣକ ଉପାୟଶୂନ୍ୟ ହୋଇ କଣ କରିବେ, କି ମେଡିସନ ଖାଇବେ,ଟେଷ୍ଟ କିପରି କରିବେ ସେ ଚିନ୍ତାରେ ଭାଙ୍ଗି ପଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିବାକୁ ଚାହିଁଥିଲେ ମଧ୍ୟ କରୋନା ଆଳରେ ଅଧିକାରୀ ମଧ୍ୟ ଯୁବକଙ୍କୁ ଦେଖା କରିବାକୁ ମନା କରି ଦେଇଥିଲେ।

ଯାହାକି ସୁମନ୍ତଙ୍କୁ ବହୁତ ଆଘାତ ଦେଇଥିଲା। ଗୋଟିଏ ପଟେ କରୋନା ମୁକାବିଲାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସଫଳତା ମୁହାଁ ହେଉଥିବା କହୁଥିବା ବେଳେ ସୁମନ୍ତଙ୍କ ପରି ଅନେକ ସାହସୀ ଯୁବକଙ୍କୁ କରୋନା ପରୀକ୍ଷା ନକରି ଫେରାଇ ଦେବାକୁ ସେ ଆଦୌ ଗ୍ରହଣ କରିପାରିନଥିଲେ। ଶେଷରେ ସରକାରୀ ଚିକିତ୍ସାଳୟରୁ ନିରାଶ ହୋଇଥିବା ସୁମନ୍ତ ଘରୋଇ ଚିକିତ୍ସାଳୟରେ ଟଙ୍କା ଦେଇ କୋଭିଡ ପରୀକ୍ଷା କରିବାକୁ ମନସ୍ତ କରିଥିବା ବେଳେ ତାଙ୍କ ପରି ଅନ୍ୟ ଲୋକମାନେ ଯେପରି ଏପରି ଅସହାୟତାର ଶିକାର ନହୁଅନ୍ତୁ ସେ ନେଇ ପ୍ରଶାସନକୁ ନିବେଦନ କରିଛନ୍ତି ।