ପ୍ରଥମେ ‘କରୋନା’ ପରୀକ୍ଷା ପରେ ସେବା । ସ୍ନାନପୂର୍ଣ୍ଣିମା ପୂର୍ବରୁ ହେବ ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ । ଜଳ ଆଣିବା ବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ରକ୍ଷା କରିବେ ସେବାୟତ

185

କନକ ବ୍ୟୁରୋ: ଶ୍ରୀମନ୍ଦିର ସେବାୟତଙ୍କୁ ନେଇ ବଡ଼ ନିଷ୍ପତ୍ତି । ପ୍ରଥମେ ‘କରୋନା’ ପରୀକ୍ଷା ପରେ ସେବା । କୋଭିଡ-୧୯ ଗାଇଡଲାଇନର ସଚେତନା ଭିତରେ ଗରାବଡୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏଭଳି କିଛି ନିଷ୍ପତି ହୋଇଛି । ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତଙ୍କର ପର୍ଯ୍ୟାୟ କ୍ରମେ କରୋନା ପରୀକ୍ଷା କରାଯିବ । ସ୍ନାନ ପୂର୍ଣ୍ଣିମା ଆଗରୁ ଗରାବଡୁ ସେବାୟତଙ୍କର କରୋନା ଟେଷ୍ଟ ହେବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟକଙ୍କ କରୋନା ପରୀକ୍ଷା କରାଯିବ । ଶ୍ରୀଜିଉଙ୍କ ସେବାରେ ନିୟୋଜିତ ହେବାକୁ ଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ । ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଥିବା ବେଳେ ୫ ତାରିଖ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସବୁ ସେବାୟତଙ୍କ ପରୀକ୍ଷା କରାଯିବ ।

ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଶ୍ରୀଜିଉଙ୍କ ସ୍ନାନ ପାଇଁ ଗରାବଡୁ ସେବାୟତମାନେ ୧୦୮ ଗରା ସୁବାସିତ ଜଳ ଯୋଗାଇ ଦେଇଥାନ୍ତି । ତେବେ ଦେବ ସ୍ନାନ ପୂର୍ଣ୍ଣିମାରେ ଅଧିବାସ ଗୃହରୁ ସ୍ନାନ ମଣ୍ଡପକୁ ଜଳ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ ସେବାୟତ । ଏହାସହ ମୁହଁରେ ମାସ୍କ ପିନ୍ଧି ପାଣି ଆଣିବେ ଗରାବଡୁ ସେବାୟତ । ଏନେଇ ସେବାୟତଙ୍କୁ ସଚେତନ କରିଛି ପ୍ରଶାସନ ।

ତେବେ କେବଳ ଗରାବଡୁ ନୁହେଁ ଅନ୍ୟ ସମସ୍ତ ନିଯୋଗର ସେବାୟତଙ୍କର ମଧ୍ୟ କରୋନ ଟେଷ୍ଟ କରାଯିବ । ରଥଯାତ୍ରା ପୂର୍ବରୁ ଏବଂ ରଥଯାତ୍ରା ସମୟରେ ନିୟୋଜିତ ହେଉଥିବା ସମସ୍ତ ସେବାତୟଙ୍କୁ ତାଲିକା ପ୍ରସ୍ତୁତ କରି ପ୍ରଶାସନକୁ ଦେବାକୁ ସଂପୃକ୍ତ ନିଯୋଗକୁ କୁହାଯାଇଛି ।