ରାଜ୍ୟରେ ବଢୁଛି କରୋନା ପରୀକ୍ଷା ହେଲେ ସ୍ଥିର ରହିଛି ସଂକ୍ରମଣ ହାର: ବିଶିଷ୍ଟ ଡାକ୍ତର ପୂର୍ଣ୍ଣ ମହାପାତ୍ର, କହିଲେ ଶୀର୍ଷରେ ଅଛି, ଏବେ ଧୀରେ ଧୀରେ କମିବ; ଅଶୋକ ମହାପାତ୍ରଙ୍କ ସୂଚନା ସ୍ଥିର ରହିଛି ସଂକ୍ରମଣ ହାର

ଆରଏମଆରସି ନିର୍ଦ୍ଦେଶିକା କହିଲେ, ସଂକ୍ରମଣ କମୁଥିବାର ମିଳୁଛି ସଙ୍କେତ

543

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନେଇ ଚିନ୍ତା ଜନକ ପରିସ୍ଥିତିରେ କରୋନା ଗ୍ରାଫ ସୃଷ୍ଟି କରିଛି ଏକ ନୂଆ ଆଶା । ଓଡିଶାରେ କରୋନା ପରୀକ୍ଷା ହାର ବଢୁଥିବା ବେଳେ ସଂକ୍ରମିତଙ୍କ ହାର ଏକ ସ୍ଥିର ଅବସ୍ଥାକୁ ଆସୁଥିବା ନେଇ ବିଶେଷଜ୍ଞ ମତ ରଖିଛନ୍ତି । ଆଜି ଓଡିଶାରେ ସର୍ବାଧିକ ୨୩ହଜାର ୩୫ଟି ଟେଷ୍ଟ ହୋଇଥିବା ବେଳେ ୧ହଜାର ୩୪୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଗତ କିଛି ଦିନ ଧରି ନମୁନା ପରୀକ୍ଷା ସଂଖ୍ୟା ବଢ଼ୁଥିଲେ ମଧ୍ୟ ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୫ଶହ ପାଖାପାଖି ରହୁଛି । ଯାହା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାର ସଙ୍କେତ ବୋଲି କହିଛନ୍ତି ବିଶେଷଜ୍ଞ ।

୧୧ଅଗଷ୍ଟ ୧ହଜାର ୩୪୧ ୨୩ହଜାର ୩୫ ଟେଷ୍ଟ
୧୦ଅଗଷ୍ଟ ୧ହଜାର ୫୨୮ ୧୯ ହଜାର୮୩ ଟେଷ୍ଟ
୯ଅଗଷ୍ଟ ୧ହଜାର ୭୩୪ ୧୬ହଜାର ୯୩ ଟେଷ୍ଟ
୮ଅଗଷ୍ଟ ୧ହଜାର ୬୪୩ ୧୭ହଜାର ୪୪୪ ଟେଷ୍ଟ
୭ଅଗଷ୍ଟ ୧ହଜାର ୮୩୩ ୧୬ହଜାର ୫୫୫ ଟେଷ୍ଟ
୬ଅଗଷ୍ଟ ୧ହଜାର ୬୯୯ ୧୫ହଜାର ୮୬ ଟେଷ୍ଟ
୫ଅଗଷ୍ଟ ୧ହଜାର ୩୩୭ ୧୪ହଜାର ୯୧୫ ଟେଷ୍ଟ

ଗତ ଏକ ସପ୍ତାହ ହେଲା କରୋନା ମିଟରର ଏହି ଗ୍ରାଫ କହୁଛି ରାଜ୍ୟରେ କରୋନା ପରୀକ୍ଷା ହାର ବଢି ବଢି ଚାଲିଛି । ହେଲେ ଆକ୍ରାନ୍ତଙ୍କ ହାର ଏକ ସ୍ଥିର ଅବସ୍ଥାକୁ ଆସିଛି । ଗତ ଏକ ସପ୍ତାହ ଧରି ରାଜ୍ୟରେ ପ୍ରତିଦିନ ହାରାହାରି ୧୫ଶହ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଯାହା କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସ୍ଥିରାବସ୍ଥା ଆଣୁଥିବା କହିଛନ୍ତି ବିଶେଷଜ୍ଞ ।  ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଙ୍ଘମିତ୍ରା ମହାପାତ୍ର କହିଛନ୍ତି ଓଡିଶାରେ କରୋନା ସଂକ୍ରମଣ ହାର କମୁଛି । କେବଳ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ହିଁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

କରୋନା ମିଟରର ଆଉ ଏକ ତଥ୍ୟ ବି ଆଶ୍ୱସ୍ତି ଆଣିଛି । କିଛି ଦିନ ପୂର୍ବରୁ ଓଡିଶାରେ କରୋନା ପଜିଟିଭିଟି ରେଟ ବା ଆକ୍ରାନ୍ତଙ୍କ ହାର ୧୦% ଥିଲା । ବର୍ତ୍ତମାନ ଏହା ୬%କୁ ଖସି ଆସିଛି । ଭାରତରେ ପୂର୍ବରୁ ୪% ହାରରେ ସଂକ୍ରମଣ ବଢୁଥିଲା । ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହାର ୩%କୁ କମିଛି । ଓଡିଶାର ଖ୍ୟାତିସମ୍ପର୍ଣ୍ଣ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଲକଡାଉନ ଓ ସଟଡାଉନ କାରଣରୁ ଓଡିଶାରେ ସଂକ୍ରମଣ ଶୀର୍ଷ ସ୍ତରରେ ପହଁଚିବାରେ ବିଳମ୍ବ ହୋଇଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ବଢିଛି ଆଉ ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା କମିବ । ତେବେ ରାଜ୍ୟରେ କରୋନା ପରୀକ୍ଷାର ହାର ବୃଦ୍ଧି ସହ ଆକ୍ରାନ୍ତଙ୍କ ହାରାହାରି ସଂଖ୍ୟାରେ ସ୍ଥିରତା ଆସିବା ସଂକ୍ରମଣ କମିବାର ସଙ୍କେତ ବୋଲି ବିଶେଷଜ୍ଞ କହିଛନ୍ତି । ହେଲେ ବର୍ତ୍ତମାନ ବି ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।