ଦ୍ୱିତୀୟ ଲହରରେ ଚିନ୍ତା ବଢାଇଲାଣି ଦିଲ୍ଲୀ । ସଂକ୍ରମଣରେ ମହାରାଷ୍ଟ୍ରକୁ ଟପୁଛି ଦେଶର ରାଜଧାନୀ ।

121

କନକ ବ୍ୟୁରୋ: ଦେଶରେ କରୋନା ଦ୍ୱିତୀୟ ଲହର ସମୟରେ ସବୁଠାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମହାରାଷ୍ଟ୍ରରୁ । ହେଲେ ଏପ୍ରିଲ ୧୧ ତାରିଖ ପରେ ବଦଳିଗଲା ଏହି ଚିତ୍ର । ଦୈନିକ ସଂକ୍ରମଣ ହିସାବରେ ମୁମ୍ୱାଇକୁ ଟପିଗଲା ଦିଲ୍ଲୀ । ଏପ୍ରିଲ ୧୨ ତାରିଖରେ ଦିଲ୍ଲୀରେ ଚିହ୍ନଟ ହୋଇଥିଲେ ୧୧,୫୦୦ରୁ ଅଧିକ ସଂକ୍ରମିତ । ସେତେବେଳକୁ ମୁମ୍ୱାଇରେ ଥିଲେ ୭୮୦୦ ପଜିଟିଭ୍ । ୧୩ ଏପ୍ରିଲରେ ଦିଲ୍ଲୀରେ ୧୩,୪୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୁମ୍ୱାଇରୁ ଚିହ୍ନଟ ହୋଇଥିଲେ ୬୭୦୦ରୁ ଅଧିକ ପଜିଟିଭ୍ । ଏପ୍ରିଲ ୧୫ ତାରିଖ ବେଳକୁ ଦିଲ୍ଲୀରେ ୧୬,୬୯୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୁମ୍ୱାଇରୁ ଆସିଥିଲା ୧୬ ହଜାର ୯୦୬ ପଜିଟିଭ୍ ।

ସଂକ୍ରମଣର ଏହି ସଂଖ୍ୟା ହିଁ ବୟାନ କରୁଛି କେବେ ଆଗରେ ମୁମ୍ୱାଇ, ତ କେବେ ଆଗରେ ଜିଲ୍ଲୀ । ଏସବୁ ଭିତରେ ଦେଶରେ ଦିଲ୍ଲୀରେ ସଂକ୍ରମଣ ଚିନ୍ତା ଜନକ ରହିଛି । ଡାକ୍ତରଖାନା ଗୁଡିକରେ ଆବଶ୍ୟକ ପରିମାଣର ଅକ୍ସିଜେନ୍ ଓ ବେଡ୍ ନଥିବା ଅଭିଯୋଗ ଆସିଛି । ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏସବୁ ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାର କାମ କରୁଛନ୍ତି । କେନ୍ଦ୍ର ସରକାର ସମସ୍ତ କୋଭିଡ ଡାକ୍ତରଖାନା ଗୁଡିକୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଆଜି ନିଜେ ଏମ୍ସ ଟ୍ରମା କେୟାର ବୁଲି ଚିକିତ୍ସା ବ୍ୟବସ୍ଥା ନିଜେ ଅନୁଧ୍ୟାନ କରିଛନ୍ତି ହର୍ଷବର୍ଦ୍ଧନ ।

ସେପଟେ ନାଇଟ୍ କଫ୍ୟୁ ଲାଗୁ ହୋଇଥିବା ଦିଲ୍ଲୀ ଆଜି ଠାରୁ ସପ୍ତାହନ୍ତ ଲକଡାଉନ୍ ମଧ୍ୟ ଆରମ୍ଭ ହୋଇଛି । ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ କରୋନା ପଜିଟିଭ୍ ଆସିଥିବା ଜଣାପଡିଛି । ସେ ନିଜେ ଏବେ ସଂଗରୋଧରେ ରହିବା ସହ ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଉଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ନିଜର ପରୀକ୍ଷା କରାଇନେବାକୁ ଅପିଲ କରିଛନ୍ତି ଜାଭଡେକର ।