ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ଆରମ୍ଭ ହେଉ ହେଉ ମେ’୭ ଯାଏଁ ସବୁ ସ୍ଲଟ୍ ବୁକିଂ ।

230

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଯେଉଁଥିରେ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହିତ ୧୮ ବର୍ଷରୁ ୪୪ ବର୍ଷୀୟ ଲୋକଙ୍କୁ ବି ଟିକା ଦିଆଯିବ । ଆଜି ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରେସମିଟ୍ କରି ସୂଚନା ଦେବା ସହିତ ଆଜି ସନ୍ଧ୍ୟାରୁ ଏଥିପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲି କହିଥିଲେ । ହେଲେ ସ୍ଲୁଟ୍ ବୁକିଂ ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ଶେଷ ହୋଇଯାଇଛି ।

କୋ-ୱିନ୍ ଆପର ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ମେ ୭ ଯାଏଁ ସମସ୍ତ ସ୍ଲଟ୍ ବୁକିଂ ହୋଇଯାଇଛି । ଯାହାପରେ ଟିକା ନେବା ପାଇଁ ଆଶାୟୀ ଥିବା ଅନେକ ଲୋକଙ୍କୁ ନିରାଶ ହେବାକୁ ପଡିଛି । ତେବେ ଟିକାକରଣକୁ ନେଇ ଲୋକଙ୍କ ଆଗ୍ରହ ହିଁ , ଖୁବ କମ ସମୟରେ ସମସ୍ତ ସ୍ଲଟ୍ ବୁକ୍ ହେବା ପଛର କାରଣ ବୋଲି କୁହାଯାଉଛି । ଲୋକମାନେ ଟିକା ନେବାକୁ ବେସ୍ ଆଗ୍ରହୀ ଅଛନ୍ତି, ଯେଉଁ କାରଣରୁ ଖୁବ କମ୍ ସମୟରେ ସ୍ଲଟ୍ ବୁକ୍ ହୋଇଥିବା କୁହାଯାଉଛି ।

ଆଜି କୋଭିଡ୍ ସମ୍ବନ୍ଧୀୟ ସୂଚନା ଦେଇ ବିଏମସି କମିଶନର କହିଥିଲେ, ଆସନ୍ତା ସୋମବାରଠାରୁ ରାଜଧାନୀ ଭୁବନେଶ୍ୱରରେ ସାବାଳକ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍ ଦିଆଯିବ । ଲୋକମାନେ ରେଜିଷ୍ଟ୍ରେସନ୍ କରିବା ସହିତ ନିଜର ସ୍ଲୁଟ୍ ବୁକ୍ କରିବା ପରେ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ହେଲେ ସ୍ଲଟ୍ ବୁକିଂ ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସମସ୍ତ ସ୍ଲଟ୍ ବୁକ୍ ହୋଇଯାଇଛି ।