ମହାମାରୀ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇବା ସହ ଯୋଜନାବଦ୍ଧ ଭାବେ କାମ କରିବାକୁ ନିର୍ଦ୍ଦେଶ ।

206

କନକ ବ୍ୟୁରୋ : ଗୋଟିଏ ପଟେ କରୋନା ତାର କାୟା ମେଲାଉଥିବା ବେଳେ ସଂକ୍ରମଣରେ ବ୍ରେକ ଲାଗୁନି । ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ମହାମାରୀର ମୁକାବିଲା ଉପରେ ଜୋର ଦେଉଛନ୍ତି । ଏଭଳିସ୍ଥଳେ କୋଭିଡ ସ୍ଥିତିର ସମୀକ୍ଷା କରି ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ଯ୍ୟାପ୍ତ ଔଷଧ, ଅମ୍ଳଜାନ ଠିକ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କରୋନାର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବାକୁ କୋଭିଡ ନିୟମର କଡ଼ା ଅନୁପାଳନ ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ସ୍ଥିତିରେ କିଛି ବ୍ୟବସାୟୀ ସଙ୍ଗଠନ ବାଣିଜ୍ୟ ସମୟସୀମା ହ୍ରାସ କରି କୋଭିଡ ପରିଚାଳନାରେ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି। ଏହିଭଳି ସଂଗଠନଗୁଡିକୁ କୋଭିଡ ପରିଚାଳନାରେ ଅଂଶୀଦାର କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ICU ଓ ଗୋଟିଏ ବେଡ୍‌ ଉପରୁ ଚାପ କମିଥାଏ । ଯାହାଦ୍ବାରା ଜୀବନ ମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହୋଇଥାଏ । ରାଜ୍ୟ ସରକାର କୋଭିଡ ରୋଗୀ ମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି ସେବା ଜାରି ରଖିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ସେ କହିଥିଲେ।

କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦବେଗ ସୃଷ୍ଟି କରିଛି । ଭାଇରସର double ଓ triple mutant ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି । କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । କୋଭିଡ ଯୁଦ୍ଧକୁ ଆହୁରି ଦୃଢ଼ କରିବାକୁ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହ ଏକ ସଚେତନ ନାଗରିକର ଦାୟିତ୍ୱ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି। କୋଭିଡ ସ୍ଥିତିର ସମୀକ୍ଷା କରି ଏହାର ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ନବୀନ କହିଛନ୍ତି। ମୁଖ୍ୟ ଶାସନ ସଚିବ ଏହିସବୁ କାର୍ଯ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।