ସଂକ୍ରମଣରେ ଲାଗୁନି ବ୍ରେକ୍ । ସଂଖ୍ୟା ବଢ଼ୁଛି, ହେଲେ ହସ୍ପିଟାଲରେ କମ୍ ରହିଛି ରୋଗୀଙ୍କ ସଂଖ୍ୟା ।

192

କନକ ବ୍ୟୁରୋ : ରାଜ୍ୟରେ ଗତ କିଛି ଦିନ ଧରି ସଂକ୍ରମଣ ସ୍ଥିର ରହିଛି । ହେଲେ ଏହାକୁ ସାମାନ୍ୟ ଭାବେ ଗ୍ରହଣ କରି ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ବଜାୟ ରଖୁନଥିବା ଲୋକଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି ସ୍ୱାସ୍ଥ୍ୟ ବିଭାଗ । କହିଛି କିଛି ଅମାନିଆଙ୍କ ପାଇଁ ପୁଣି ଥରେ ସଂକ୍ରମଣ ବ୍ୟାପି ଯାଇପାରେ । ତେଣୁ କୋଭିଡ ଗାଇଡଲାଇନକୁ ଅନୁପାଳନ କରିବାକୁ ଅନୁରୋଧ କରାଯାଇଛି । ସେପଟେ ହସ୍ପିଟାଲରେ ବେଡ ମଧ୍ୟ ଖାଲି ରହିଛି । ଟେଷ୍ଟିଂ କମିବା କିନ୍ତୁ ଚିନ୍ତାଜନକ ବିଷୟ ପାଲଟିଛି । ଯେଉଁଥିପାଇଁ ସବୁ ରାଜ୍ୟକୁ ସତର୍କ କରାଇ ଦେଇଛି କେନ୍ଦ୍ର ।

ଉପରମୁହାଁ ସଂକ୍ରମଣ, କିନ୍ତୁ ଘାତକ ନୁହେଁ । ଏପର୍ଯ୍ୟନ୍ତ ଦୂର ହୋଇନି ଭୂତାଣୁ ଭୟ । କରୋନା ଭୂତାଣୁର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢାଉଥିଲେ ମଧ୍ୟ ଘାତକ ସାବ୍ୟସ୍ତ ହେଉନି । ଅଧିକାଂଶ ସଂକ୍ରମିତଙ୍କ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଉଥିବା ବେଳେ, କମ ଲୋକଙ୍କୁ ଡାକ୍ତରଖାନାର ଆବଶ୍ୟକତା ପଡୁଛି । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ରାଜ୍ୟରେ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟାର ମାତ୍ର ୯ ପ୍ରତିଶତ ଜେନେରାଲ ବେଡ, ୧୫ ପ୍ରତିଶତ ଆଇସିୟୁ ବେଡ୍ ଓ ୬ ପ୍ରତିଶତ ଭେଣ୍ଟିଲେଟରରେ ଏବେ ରୋଗୀ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଆଗକୁ ଏହି ସଂଖ୍ୟା କିଭଳି ରୂପ ନେବ ତାହା ଆକଳନ କରିବା ସହଜ ହେବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସାମାନ୍ୟ ଲକ୍ଷଣ ଯୋଗୁଁ ବଢୁଛି ଢିଲାପଣ । ଆଗକୁ ଆଣିପାରେ ଆହୁରି ବିପଦ । ବର୍ତ୍ତମାନ ଅଧିକରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଥିଲେ ମଧ୍ୟ ଆକ୍ରାନ୍ତ ଲକ୍ଷଣବିହୀନ କିମ୍ବା ଅଳ୍ପ ଲକ୍ଷଣଯୁକ୍ତ ଥିବା ଦେଖିବାକୁ ମିଳୁଛି । ତେଣୁ ଲୋକ ଆଗ ଭଳି କରୋନାକୁ ଭୟ କରୁନାହାନ୍ତି ଏବଂ କୋଭିଡ ନିୟମକୁ ମଧ୍ୟ ମାନିବାରେ ହେଳା କରିବା ଦେଖାଯାଉଛି । ଯାହା ଆଗକୁ ଖରାପ ସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । କାରଣ ରୋଗ ପ୍ରତିରୋଧକ ଶକ୍ତି କମ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ଘାତକ ସାବ୍ୟସ୍ତ ହୋଇପାରେ ।

ଏହାରି ଭିତରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ହଜାର ୮୬ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ ୨ ଲକ୍ଷ ୩୮ ହଜାର ୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଶ୍ୱସ୍ତିର କଥା ହେଉଛି, ଦିଲ୍ଲୀ, ମୁମ୍ବାଇରେ ସଂକ୍ରମଣ କମିବାରେ ଲାଗିଛି । କୁହାଯାଉଛି ଏସବୁ ସ୍ଥାନରେ ସଂକ୍ରମଣ ଶୀର୍ଷ ଛୁଇଁସାରିଲାଣି । ଅନ୍ୟ ସବୁ ସ୍ଥାନରେ ମାର୍ଚ୍ଚ ଶେଷ ସୁଦ୍ଧା ସଂକ୍ରମଣ କମିବାର ଆକଳନ କରୁଛନ୍ତି ବିଶେଷଜ୍ଞ ।