କେରଳରୁ ଆସିଲା ଚିନ୍ତାଜନକ ଖବର । ଆଜି ଗୋଟିଏ ଦିନରେ ୩୦ ହଜାର ଉପରେ ନୂଆ ମାମଲା, ସଂକ୍ରମଣ ହାର ୧୯ ପ୍ରତିଶତ ।

437

କନକ ବ୍ୟୁରୋ : ଗୋଟିଏ ପଟେ ଦେଶ ଧିରେ ଧିରେ ଖୋଲୁଛି । ଅନ୍ୟ ପଟେ ଯେଉଁ ରାଜ୍ୟରେ ଦେଶର କରୋନା ସଂକ୍ରମଣର ପ୍ରଥମ କେସ ଚିହ୍ନଟ ହୋଇଥିଲା ସେଠାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ଲାଗି ରହିଥିବା ବେଳେ ଦୈନିକ ସଂକ୍ରମଣ ଏବେ ବି ଚିନ୍ତାର କାରଣ ପାଲଟିଛି । ବିଶେଷକରି କେରଳର ସଂକ୍ରମଣ ଏବେ ଚିନ୍ତା ବଢ଼ାଇ ଦେଇଛି । ଗତ କିଛି ଦିନ ଧରି କେରଳରେ ସବୁଠୁ ଅଧିକ ସଂକ୍ରମଣ ଲାଗି ରହିଥିବା ବେଳେ ୨୪ ଘଂଟାରେ ଦିନିକିଆ ସଂକ୍ରମଣ ୩୦ ହଜାର ଟପିଯାଇଛି । ଗୋଟିଏ ଦିନରେ ୩୧ ହଜାର ୪୪୫ ନୂଆ ମାମଲା ଚିହ୍ନଟ ହୋଇଛି । ମେ’ ମାସ ୨୦ ତାରିଖ ପରେ ଏହା ହେଉଛି ସବୁଠୁ ଅଧିକ ଦୈନିକ ସଂକ୍ରମଣ । ଯାହା ପୁଣି ଥରେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଗୋଟିଏ ଦିନ ଭିତରେ ୩୦ ପ୍ରତିଶତରୁ ଅଧିକ ନୂଆ ମାମଲା ଆସିବା ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି । କେରଳରୁ ତୃତୀୟ ଲହର ଆରମ୍ଭ ହେଲା କି, ଏହି ସନ୍ଦେହ ମଧ୍ୟ ସୃଷ୍ଟି ହୋଇଛି ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ କହିଛନ୍ତି, ଭାରତରେ କରୋନା ଏଣ୍ଡେମିକ ପର୍ଯ୍ୟାୟରେ ପହଁଚି ଯାଇଛି । ଏହାର ଅର୍ଥ ହେଉଛି ଏହା ମହାମାରୀ ଭଳି ପୂରା ଜନସଂଖ୍ୟା ଉପରେ ପ୍ରଭାବ ପକାଇବ ନାହିଁ । ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳ, କିମ୍ବା ନିର୍ଦ୍ଦିଷ୍ଟ ଗୋଷ୍ଠୀ, କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟରେ ସଂକ୍ରମଣ ହେବ । ଯେମିତି ଆମକୁ ଥଣ୍ଡା ଜ୍ୱର ହୁଏ । ଡବ୍ଲୁଏଚଓର ମୁଖ୍ୟ ବୈଜ୍ଞାନିକଙ୍କ କହିବା କଥା ଅନ୍ୟ ଫ୍ଲୁ ଭଳି କରୋନା ଭାରତରେ ରହିବ । ଏବଂ ଏହି ପର୍ଯ୍ୟାୟରେ ପହଁଚି ଯାଇଛି କୋଭିଡ୍ । ଦ୍ୱିତୀୟ ଲହର ଭଳି ଆଉ ଭୂତାଣୁର ଉଗ୍ର ରୂପ ଦେଖିବାକୁ ମିଳିନପାରେ ।

ବିଭିନ୍ନ ଅଂଚଳରେ ଏହା ହଠାତ୍ ବଢିପାରେ କିମ୍ବା କମିପାରେ । ଓଡିଶାରେ ବରିଷ୍ଠ ଚିକିତ୍ସକ ଅଶୋକ ମହାପାତ୍ର କହିଛନ୍ତି ଏବେ ବି ଦେଶରେ ମହାମାରୀ ଭଳି ପରିସ୍ଥିତି ଅଛି । ଆମେରିକାରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସ୍ୱୟମ୍ ପ୍ରକାଶ କହିଛନ୍ତି, ଡକ୍ଟର ସ୍ୱାମୀନାଥନଙ୍କ କଥାଶୁଣି ଆମେ ଆଶ୍ଚର୍ଯ୍ୟ । କାରଣ ଏବେ ବି ଟିକାକରଣ ବହୁ କମ ଲୋକଙ୍କର ହୋଇଛି । ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କେତେ ସୃଷ୍ଟି ହୋଇଛି, ତା’ର ହିସାବ ହୋଇନାହିଁ । ଖୁବଶୀଘ୍ର ସେ ତାଙ୍କ ମନ୍ତବ୍ୟ ଫେରାଇନେବେ, ଏଥିରେ ସନ୍ଦେହ ନାହିଁ । ଯଦି ଆମେ ଟିକାକରଣକୁ ଦେଖିବା ତେବେ ଦେଶରେ ମୋଟ ଟିକାକରଣ ୬୦,୨୩,୪୨,୫୩୬ ହୋଇଥିବାବେଳ ପ୍ରଥମ ଡୋଜ-୪୬,୬୭,୦୦,୭୮୩ ଲୋକ ନେଇଛନ୍ତି । ଦେଶରେ ସମ୍ପୂର୍ଣ୍ଣ ଟିକାକରଣ-୧୩,୫୬,୪୨,୦୨୯ ଲୋକଙ୍କର ହୋଇଛି । ସେହିପରି ଓଡିଶାରେ ମୋଟ ଟିକାକରଣ -୨,୦୯,୩୧,୫୫୫ ହୋଇଥିବା ବେଳେ ପ୍ରଥମ ଡୋଜ-୧,୫୯,୬୩,୫୧୭ ଲୋକ ନେଇଛନ୍ତି । ସମ୍ପୂର୍ଣ୍ଣ ଟିକାକରଣ-୪୯,୬୮,୦୩୮ ଲୋକଙ୍କର ହୋଇଛି । ସେହିପରି ସଂକ୍ରମଣ ଅଧିକ ହୋଇଥିବା କେରଳରେ ମୋଟ ଟିକାକରଣ -୨,୬୫,୯୬,୨୪୫ ହୋଇଥିବାବେଳ ପ୍ରଥମ ଡୋଜ-୧,୯୫,୪୭,୨୩୫ ଲୋକ ନେଇଛନ୍ତି । ସମ୍ପୂର୍ଣ୍ଣ ଟିକାକରଣ-୭୦,୪୯,୦୧୦ ଲୋକଙ୍କର ହୋଇଛି । ତେବେ ଆମେ କହିପାରିବା କି ଦେଶରେ ହର୍ଡ ଇମ୍ୟୁନିଟି ହୋଇସାରିଲାଣି ।