କମୁଛି ସଂକ୍ରମଣ ହାର, ସୁଧୁରୁଛି କରୋନା ପରିସ୍ଥିତି । ୧୦୧ ଦିନ ପରେ ୪୦ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୩୭ ହଜାର ୫୬୬ ଆକ୍ରାନ୍ତ, ୯୦୭ ମୃତ ।

256

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ଫିକା ପଡୁଥିବା ଦେଖିବାକୁ ମିଳୁଛି । କ୍ରମାଗତ ଭାବେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ଆଉ ଗତ ୧୦୧ ଦିନ ଭିତରେ ସବୁଠାରୁ କମ୍ ସଂଖ୍ୟକ କରୋନା ସଂକ୍ରମଣ ସୋମବାର ଚିହ୍ନଟ ହୋଇଛି ।

ଦ୍ରୁତ ଗତିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏପ୍ରିଲ ମାସରୁ ଦେଶରେ ଜାରି ରହିଥିବା କରୋନା ସଂକ୍ରମଣ ବେଗରେ ଧିରେ ଧିରେ ଲାଗୁଛି ବ୍ରେକ୍ । ଗତ ୧୦୧ ଦିନ ପରେ ଦେଶରେ ଏବେ ସବୁଠାରୁ କମ୍ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୋମବାର ଭାରତରେ ୩୭ ହଜାର ୫୬୬ ନୂଆ ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ଗତ ୧୦୧ ଦିନ ପରେ ଦେଶରେ ପ୍ରଥମ ଥର ପାଇଁ ୪୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ଦେଖି ଲାଗୁଛି ଦେଶରେ ଏବେ ଦ୍ୱିତୀୟ ଲହର ଫିକା ପଡିବାରେ ଲାଗିଛି । ଦୈନିକ ସଂକ୍ରମଣ ହାର ୨.୭୪ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଂଟାରେ ଦେଶରେ

– ୩୭,୫୬୬ ଆକ୍ରାନ୍ତ ଚିହ୍ନଟ

– ୯୦୭ ଜଣଙ୍କ କରୋନାରେ ମୃତ୍ୟୁ  

– ମୋଟ୍ ମୃତ୍ୟୁ ସଂଖ୍ୟା ୩.୯୭ ଲକ୍ଷ ଟପିଛି

– ମୋଟ ସକ୍ରିୟ କରୋନା ରୋଗୀ ସଂଖ୍ୟା ୫,୫୨,୬୫୯ 

– ଦେଶରେ ସଂକ୍ରମଣ ହାର ୨.୭୪%କୁ ହ୍ରାସ ପାଇଛି 

– ସୁସ୍ଥ  ହାର ୯୬.୮୭%କୁ  ବୃଦ୍ଧି  ପାଇଛି

– ମୋଟ  କରୋନା  ସଂକ୍ରମିତ  ସଂଖ୍ୟା ୩,୦୩,୧୬,୮୯୭ରେ ପହଁଚିଛି

– ମୋଟ  ମୃତ୍ୟୁ  ସଂଖ୍ୟା  ରହିଛି  ୩, ୭୭, ୦୩୧

ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଫିକା ପଡୁଛି । ମାତ୍ର ଏହି ଭିତରେ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଅନେକାଂଶରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ପାଇଛି । ଆଉ ମୃତକଙ୍କ ଭିତରେ ଅଧିକାଂଶ ୪୦ ବର୍ଷରୁ କମ୍ ଥିବା ତଥ୍ୟ ମିଳିଛି । ଦେଶର ୫,୪୫୪ ଡାକ୍ତରଖାନାରେ ଅନୁଧ୍ୟାନ କରିବା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି ।  ମେଡରିଭ୍ସ ମେଡିକାଲ ଜର୍ଣ୍ଣାଲରେ ଏହି ତଥ୍ୟ ପ୍ରକାଶ ପାଇଛି ।

ସେପଟେ ଦେଶରେ ଟୀକାକରଣର ମହାଅଭିଯାନ ଜୋର ସୋରରେ ଆଗେଇ ଚାଲିଛି । ବର୍ତମାନ ସୁଦ୍ଧା ଦେଶରେ ୩୧.୮୩ କୋଟିରୁ ଉଦ୍ଧ୍ୱର୍ କରୋନା ଟିକା ନେଇ ସାରିଲେଣି ।