ଦେଶର ୪ ବଡ଼ ସହରରେ ଶୀର୍ଷକୁ ଛୁଇଁଲା କରୋନା । ଏବେ ତଳମୁହାଁ ସଂକ୍ରମଣ ଗ୍ରାଫ୍ ।

124

କନକ ବ୍ୟୁରୋ : ଦେଶର ଚାରି ବଡ ସହରରେ କରୋନା ସଂକ୍ରମଣ ଶୀର୍ଷରେ ଛୁଇଁସାରିଛି । ଏହି ତାଲିକାରେ ରହିଛି ମୁମ୍ବାଇ, ଦିଲ୍ଲୀ, କୋଲକାତା ଏବଂ ଚେନ୍ନାଇ । ଏହି ୪ ବଡ ସହରରେ କରୋନା ଶୀର୍ଷକୁ ଛୁଇଁବା ପରେ ଏବେ ତଳମୁହାଁ ସଂକ୍ରମଣ ଗ୍ରାଫ୍ ରହିଛି । ଗତ ସାତ ଦିନର କୋଭିଡ ସଂକ୍ରମଣ ରିପୋର୍ଟରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସଥିବା କହିଛନ୍ତି ବିଶେଷଜ୍ଞ । ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ବେଙ୍ଗାଲୁରୁ, ପୁଣେ, ଅହମଦାବାଦ ଏବଂ ହାଇଦ୍ରାବାଦ ଏହି ୮ ସହରରେ ଅଧିକ ରହି ଆସୁଥିଲା କରୋନା ସଂକ୍ରମଣର ଗ୍ରାଫ୍ । ତେବେ ଏହା ମଧ୍ୟରୁ ବେଙ୍ଗାଲୁରୁ, ପୁଣେ, ଅହମଦାବାଦ ଏବଂ ହାଇଦ୍ରାବାଦରେ କରୋନା ଉପରମୁହାଁ ପରେ ମଧ୍ୟ ତଳକୁ ଖସୁଛି ।

ଦେଶରେ କରୋନାର ତୃତୀୟ ଲହର ଚାଲିଛି । ଏହି ସମୟରେ ସବୁଠାରୁ ବେଙ୍ଗାଲୁରୁ ପ୍ରଭାବିତ ହୋଇଥିବା ସୂଚନା ରହିଛି । ୧୬ ଡିସେମ୍ବରରୁ ଏଯାବତ ୩ ଲକ୍ଷ କରୋନା ସଂକ୍ରମିତ ଏହି ସହରରୁ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ପାଖାପାଖି ୩ ଦଶମିକ ୪ ଲକ୍ଷ ରହିଛି । ମୁମ୍ବାଇ ହେଉଛି ଦେଶର ପ୍ରଥମ ସହର ଯେଉଁଠି କରୋନା ପ୍ରଥମେ ଶୀର୍ଷରେ ଛୁଇଁଥିଲା । ଏହି ସହରରେ ୧୨ ଜାନୁଆରୀ ପାଖରୁ ଦୈନିକ ସଂକ୍ରମଣ ତଳମୁହାଁ ହୋଇଛି । ଏହି ଅବଧି ମଧ୍ୟରେ ସର୍ବାଧିକ ୧୭ ହଜାର ୪୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୪ ବଡ ସହର ମଧ୍ୟରେ କୋଲକାତାରେ ସବୁଠୁ କମ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

ରିପୋର୍ଟ ଅନୁସାରେ ଗତ ଜାନୁଆରୀ ୧୨ ତାରିଖରେ ମୁମ୍ୱାଇରେ ଶୀର୍ଷ ଛୁଇଁ ସାରିଛି କରୋନା ସଂକ୍ରମଣ । ସେହିପରି ଜାନୁଆରୀ ୧୩ ତାରିଖରେ କୋଲକାତାରେ ଶୀର୍ଷ ଛୁଇଁ ସାରିଛି ସଂକ୍ରମଣ । ମୁମ୍ୱାଇରେ ଜାନୁଆରୀ ୧୫ ଏବଂ ଚେନ୍ନାଇରେ ଜାନୁଆରୀ ୧୯ ତାରିଖରେ ସଂକ୍ରମଣ ଗ୍ରାଫ୍ ଶୀର୍ଷ ଅତିକ୍ରମ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏବେ ବି ବେଙ୍ଗାଲୁରୁ, ପୁଣେ, ହାଇଦ୍ରାବାଦ ଏବଂ ଅହମ୍ମଦାବାଦ ପରି ଅନ୍ୟ ୪ ବଡ ସହରରେ ସଂକ୍ରମଣ ଗ୍ରାଫ୍ ଶୀର୍ଷ ଛୁଇଁବା ବାକି ରହିଛି ।