ଏଥର ବି ବୋଲବମ୍ ଉପରେ ଲାଗିଲା ରୋକ୍ : ଶୈବ ପୀଠରେ ଜଳଲାଗି ପାଇଁ ଧାର୍ମିକ ସ୍ଥାନରୁ ଉଠାଇ ପାରିବେ ନାହିଁ ପାଣି; ରାସ୍ତା ଉପରେ କଳସ ଧରି ଯିବା ମନା

129

କନକ ବ୍ୟୁରୋ : ଏଥର ବି ବୋଲବମ୍ ମନା । ଜଳଧରି ଯାତ୍ରା କରିପାରିବେନି କାଉଡିଆ । ଶୈବ ପୀଠରେ କରିପାରିବେନି ଜଳଲାଗି । ଶ୍ରାବଣ ମାସ ପାଇଁ ଏହି ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଅର୍ଥାତ ଜୁଲାଇ ଓ ଅଗଷ୍ଟ ମାସରେ କାଉଡିଆ ଯାତ୍ରା ବନ୍ଦ ରହିବ । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିନଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ କାଉଡିଆମାନେ କୌଣସି ଧାର୍ମିକ ସ୍ଥଳରୁ ଜଳ ଉଠାଇ ପାରିବେ ନାହିଁ କି ରାସ୍ତାରେ କଳସ ଧରି ମନ୍ଦିର ଅଭିମୁଖେ ଯାତ୍ରା କରିପାରିବେ ନାହିଁ । ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଯୋଗୁଁ ଗତବର୍ଷ କାଉଡିଆ ଯାତ୍ରାକୁ ରାଜ୍ୟ ସରକାର ବାରଣ କରିଥିଲେ । ଚଳିତ ବର୍ଷ ମଧ୍ୟ ରାଜ୍ୟରେ କୋଭିଡ୍-୧୯ର ଦ୍ୱିତୀୟ ଲହର ଜାରି ରହିଛି । ଏବେ ବି ୨ହଜାର ଉପରେ ରହୁଛି ଦୈନିକ ସଂକ୍ରମଣ । ଏହାକୁ ନଜରରେ ରଖି ବୋଲବମ୍ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର ।

ଚଳିତ ମାସ ୨୫ରୁ ଶ୍ରାବଣ ମାସ ଆରମ୍ଭ ହେବ । ଏହା ଅଗଷ୍ଟ ୨୨ରେ ଶେଷ ହେବ । ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୨୬ରେ ପଡିବ । ଚଳିତ ବର୍ଷ ଶ୍ରାବଣ ମାସରେ ୫ଟି ସୋମବାର ପଡୁଛି । ବୋଲବମ୍ ଭକ୍ତମାନେ ସୋମବାର ଶିବମନ୍ଦିରରେ ଜଳାଭିଷେକ କରିବା ପୂର୍ବରୁ ଶୁକ୍ରବାର , ଶନିବାର ଓ ରବିବାର ଜଳାଶୟରୁ ପାଣି ଉଠାଇ ଯାତ୍ରା କରିଥାନ୍ତି । କିନ୍ତୁ ବୋଲବମ୍ ଯାତ୍ରା ସମୟରେ ସାମାଜିକ ଦୂରତା ତଥା କୋଭିଡ୍ କଟକଣା ଉଲ୍ଲଙ୍ଘନ ହେବାର ଆଶଙ୍କା ଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।