ଓଡିଶା-ଛତିଶଗଡ ସୀମାରେ ଆସିଲା ସାଂଘାତିକ ଖବର : ନୂଆପଡା ଓ କଳାହାଣ୍ଡି ସୀମାନ୍ତ ପଡିଛି ମୁକୁଳା; ଅବାଧରେ ଛତିଶଗଡ ଯିବା ଆସିବା କରୁଛନ୍ତି ଲୋକେ

ସୀମାନ୍ତ ଅଂଚଳରେ ଘାରିଲା ସଂକ୍ରମଣର ଭୟ ; ସେପଟେ ମାଲକାନିଗିରି ସୀମାନ୍ତ ସୁକମାରେ ଚାଲିଛି କଡାକଡି ଯାଂଚ

224

କନକ ବ୍ୟୁରୋ : ପଡୋଶୀ ରାଜ୍ୟର ସଂକ୍ରମଣ ଓଡିଶାର ଚିନ୍ତା ବଢାଇ ଦେଇଛି । ବିଶେଷ କରି ପଡୋଶୀ ରାଜ୍ୟ ଛତିଶଗଡରେ କରୋନା ସଂକ୍ରମଣ ଅଧିକ ଥିବାରୁ ସୀମାନ୍ତବାସୀଙ୍କ ଚିନ୍ତା ବଢିଯାଇଛି । ଏପଟେ ଛତିଶଗଡ- ଧର୍ମଗଡ ସୀମା ମୁକୁଳା ହୋଇପଡି ରହିଛି । ଯାହା ସୀମାନ୍ତ ଅଂଚଳରେ କରୋନା ଦ୍ରୁତ ସଂକ୍ରମଣ ବଢିବା ଆଶଙ୍କା ସୃଷ୍ଟି କରିଛି । ରାଜ୍ୟ ସରକାର ଅଧିକ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହାର ମୁକାବିଲା ଓ ସଚେତନ କରିବା ଲାଗି ଜିଲ୍ଲାପାଳ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଛତିଶଗଡ- କଳାହାଣ୍ଡି ଜିଲ୍ଲାର ଧର୍ମଗଡ ସୀମା ମୁକୁଳା ହୋଇରହିଛି । ଫଳରେ ଛତିଶଗଡରୁ ଓଡିଶାର ବିଭିନ୍ନ ସ୍ଥାନକୁ ଅବାଧରେ ପ୍ରବେଶ କରୁଛନ୍ତି । ଓଡିଶାରୁ ମଧ୍ୟ ବହୁଲୋକ ଛତିଶଗଡ ଯାଇ ଫେରି ଆସୁଛନ୍ତି । ହେଲେ ଛତିଶଗଡରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରିବା କିମ୍ବା ସଚେତନ କରିବା ଲାଗି ସୀମାରେ କୈାଣସି ସରକାରୀ କର୍ମଚାରୀ ନାହାନ୍ତି । ଏବେ କରୋନାର ଦ୍ୱିତୀୟ ଲହର ଛତିଶଗଡରେ ବ୍ୟାପିଥିବାରୁ ଓଡିଶା ଆସୁଥିବା ଯାତ୍ରୀମାନଙ୍କ ସ୍କ୍ରିନିଂ କରିବା ପରେ ଓଡିଶାକୁ ପ୍ରବେଶର ଅନୁମତି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ସେପଟେ ନୂଆପଡାର କୋଭିଡ ଲିଙ୍କ ଛତିଶଗଡ ହୋଇଥିବାରୁ ପ୍ରଶାସନ ପକ୍ଷରୁ ଛତିଶଗଡକୁ ବସ ଚଳାଚଳ ବନ୍ଦର ଖୋଲାଖୋଲି ଉଲ୍ଲଂଘନ । ନୂଆପଡା-ଛତିଶଗଡ ବସ ଚଳାଚଳ ବନ୍ଦ କରିବାକୁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଜଣାଇଥିଲେ । କିନ୍ତୁ ଏହି ଘୋଷଣା କାର୍ଯ୍ୟକାରୀ ହେଉ ନାହିଁ । କୋଭିଡ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ବସ ସେବା ଚାଲିଥିବା ଦେଖିବାକୁ ମିଳିଛି । ବିନାବାଧାରେ ଓଡିଶା-ଛତିଶଗଡ ମଧ୍ୟରେ ଯାତ୍ରୀବାହୀ ବସ ଚଳାଚଳ କରୁଛି । ନୂଆପଡାର ଓଡିଶା-ଛତିଶଗଡ ସୀମା ମୁକୁଳା ଥିବାରୁ ଛତିଶଗଡ କରୋନା ଆଶଙ୍କାରେ ସୀମାନ୍ତବାସୀ । ତୁରନ୍ତ ବସ ଚଳାଚଳ ବନ୍ଦ କରି ଛତିଶଗଡରୁ ଫେରୁଥିବା ଲୋକଙ୍କ ସ୍କ୍ରିନିଂ, ଟେଷ୍ଟିଂ କରିବାକୁ ସୀମାନ୍ତଅଂଚଳର ଲୋକେ ଦାବି କରିଛନ୍ତି ।

ବିଶେଷ କରି ପଡୋଶୀ ରାଜ୍ୟ ଛତିଶଗଡରେ କରୋନାର ଦ୍ରୁତ ସଂକ୍ରମଣ ଓଡିଶା ପାଇଁ ଚିନ୍ତାର କାରଣ ହୋଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସଂକ୍ରମଣ ଯଥେଷ୍ଟ କମ୍ ରହିଛି । ହେଲେ ପଡୋଶୀ ରାଜ୍ୟରୁ କରୋନା ସଂକ୍ରମିତ ସୀମାନ୍ତ ଜିଲ୍ଲାକୁ ଆସିଲେ ପରିସ୍ଥିତି ବିଗିଡିପାରେ । ସେଥିପାଇଁ ସରକାର ଜିଲ୍ଲା ପ୍ରଶାସନ ଗୁଡିିକୁ ସତର୍କ ନଜର ରଖିବା ଲାଗି ନିର୍ଦେଶ ଦେଇଛନ୍ତି । ସୁନ୍ଦରଗଡ, ନୂଆପଡା ଓ ବରଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଁ ଛତିଶଗଡକୁ ଦାୟୀ କରାଯାଉଛି । ସେପଟେ ମାଲକାନଗିରିର ଛତିଶଗଡ ସୀମାକୁ ଲାଗି ରହିଥିବା ଅଂଚଳରେ ପ୍ରବେଶକାରୀଙ୍କ କଡାକଡି ଯାଂଚ କରାଯାଉଛି ।