ସ୍କୁଲରେ କଡାକଡି ହେବ କୋଭିଡ୍ କଟକଣା : ଲକ୍ଷଣ ଦେଖାଦେଲେ ବିଦ୍ୟାଳୟ ଆସିବେ ନାହିଁ ଶିକ୍ଷକ ଶିକ୍ଷୟିତ୍ରୀ

162

କନକ ବ୍ୟୁରୋ : ସ୍କୁଲରେ କଡାକଡି ହେବ କୋଭିଡ୍ କଟକଣା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓମାନଙ୍କୁ ଚିଠି ଲେଖାଯାଇଛି । ଯେପରି ସବୁ ପିଲା ମାସ୍କ ପିନ୍ଧି ସ୍କୁଲକୁ ଆସିବେ, ସେନେଇ ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ । ବିନା ମାସ୍କରେ କାହାରିକୁ ବି କ୍ୟାମ୍ପସକୁ ପ୍ରବେଶ କରିବାକୁ ଦିଆଯିବନି । କରୋନା ମୁକାବିଲା ତଥା ପରିଚାଳନା ପାଇଁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ ହେବ । ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ।

ଏହା ସହ ହାତ ଧୋଇବା ପାଇଁ ବ୍ୟବସ୍ଥା ହେବ । ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖାଦେଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସିପାରିବେ ନାହିଁ । ବ୍ଲକ ରିସୋର୍ସ ସେଂଟର କୋଡିନେଟର ବା ବିଆରସିସି ଓ କ୍ଲଷ୍ଟର ରିସୋର୍ସ ସେଂଟର କୋଡିନେଟର ବା ସିଆରସିସି ପର୍ଯ୍ୟାୟକ୍ରମେ ବିଦ୍ୟାଳୟ ବୁଲି ତଦାରଖ କରିବେ । ଶ୍ରେଣୀ ଗୃହ ପାଠପଢା ତଥା ଅଫଲାଇନ୍ ପାଠପଢା ଆରମ୍ଭ ହୋଇଥିଲେ ମଧ୍ୟ ଅନଲାଇନ୍ ପାଠ ପଢା ଜାରି ରହିବ । ବିଦ୍ୟାଳୟ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିପାରିବେ ନାହିଁ ।

ସେପଟେ, ପିଲାଙ୍କୁ ବଢୁଛି କରୋନା । ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ୧୫.୯୮ ପ୍ରତିଶତ ପିଲା ପଜିଟିଭ୍ ହୋଇଛନ୍ତି । ତଥ୍ୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ୫ ଜଣ ପିଲା ଆଇସିୟୁରେ ଅଛନ୍ତି । ସେହିପରି ସାଧାରଣ ବେଡରେ ଅଛନ୍ତି ୨୪ ଜଣ ପିଲା । ଏପ୍ରିଲା ମାସରେ ମାତ୍ର ୯. ୨୮ ପ୍ରତିଶତ ପିଲା ପଜିଟିଭ୍ ହୋଇଥିଲେ । ଏହା ପରେ ପିଲାଙ୍କ ସଂକ୍ରମିତଙ୍କ ସଂଖ୍ୟା ବଢିଥିଲା । ମେ ମାସରେ ୯.୯୮ ପ୍ରତିଶତ, ଜୁନରେ ୧୧.୪୪ ପ୍ରତିଶତ, ଜୁଲାଇରେ ୧୧.୪୯ ପ୍ରତିଶତ ଓ ଅଗଷ୍ଟରେ ୧୧. ୯୦ ପ୍ରତିଶତ ପିଲା ପଜିଟିଭ୍ ହୋଇଥିଲେ । କିଛି ଦିନ ହେବ ଶୂନରୁ ୧୮ ବର୍ଷ ମଧ୍ୟରେ ଦୈନିକ ୧୦୦ ଉପରେ ପଜିଟିଭ୍ ଆସୁଛି ।