ସଂକ୍ରମଣ ବଢୁଥିବାବେଳେ ମନ୍ଦିରରେ ଲାଗିଲା କଟକଣା । ରାୟଗଡାର ମଝିଘରିଆଣୀ ,କେନ୍ଦୁଝରର ଘଟଗାଁରେ ଭକ୍ତଙ୍କୁ ମନ୍ଦିର ମନା ।

113

କନକ ବ୍ୟୁରୋ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦକ୍ଷିଣ ଓଡିଶାର ପ୍ରମୁଖ ଦୈବୀ ପୀଠ ରାୟଗଡାର ମା’ ମଝିଘରିଆଣୀଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ରାୟଗଡା ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଛି । ଜିଲ୍ଲପାଳଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ପ୍ରତି ସପ୍ତାହରେ ମଙ୍ଗଳବାର, ବୁଧବାର ଓ ରବିବାର ଏହି ୩ଦିନ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରହିବ । ଏହି ସମୟରେ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀ ଚାଲିବାକୁ ଥିବା ବେଳେ କୌଣସି ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଏହା ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ମା ମଝିଘରିଆଣୀଙ୍କ ଚୈତ୍ର ପର୍ବ ପାଇଁ ଏପ୍ରିଲ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଭକ୍ତଙ୍କୁ ମନ୍ଦିର ଭିତରକୁ ବାରଣ କରାଯାଇଛି ।

ସେହିପରି ଘଟଗାଁ ତାରିଣୀଙ୍କ ଚୈତ୍ରପର୍ବ ପାଇଁ ନିୟମାବଳୀ ଜାରି କରିଛି ଜିଲ୍ଲା ପ୍ରଶାସନ । ଚଇତି ପର୍ବରେ ମନ୍ଦିର ଭିତରକୁ ଭୋଗ ମନା ହୋଇଛି । ଏପ୍ରିଲ ୯ ତାରିଖରୁ ୧୨ ତାରିଖ ଏବଂ ଏପ୍ରିଲ ୧୫ ତାରିଖ ସକାଳ ୭ଟାରୁ ଦିନ ୧୨ଟା୩୦ ଏବଂ ଅପରାହ୍ନ ୩ଟା୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଖୋଲା ରହିବ ମନ୍ଦିର । ୧୩ ଏପ୍ରିଲ ଏବଂ ୧୪ ଏପ୍ରିଲରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ ।