ପଣା ସଂକ୍ରାନ୍ତି ପାଇଁ ମନ୍ଦିରରେ ଲାଗିଲା କଟକଣା । ଘଟଗାଁ ମାଆ ତାରିଣୀଙ୍କ ଚଇତି ପର୍ବରେ ୨ ଦିନ ଧରି ବନ୍ଦ ହେଲା ସାଧାରଣ ଦର୍ଶନ ।

ବିନା ଭକ୍ତରେ କାକଟପୁରରେ ଅନୁଷ୍ଠିତ ହେଲା ମାଆ ମଙ୍ଗଳାଙ୍କ ତୃତୀୟ ପାଳି ଝାମୁ ଯାତ୍ରା

297

କନକ ବ୍ୟୁରୋ: କୋଭିଡ ପାଇଁ ଘଟଗାଁ ମା ତାରିଣୀଙ୍କ ପ୍ରସିଦ୍ଧ ଚଇତି ପର୍ବରେ ଲାଗିଛି କଟକଣା । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ମାଙ୍କ ସାଧାରଣ ଦର୍ଶନ ବନ୍ଦ କରିଛି ଜିଳ୍ଲାପ୍ରାଶାସନ । ୭ ଦିନ ଧରି ହେଉଥିବା ମାଙ୍କ ଚଇତି ପର୍ବର ଆଜି ହେଉଛି ପଂଚମ ଦିନ । ତେବେ ଶେଷ ଦୁଇ ଦିନ ମାଙ୍କ ପୀଠରେ ପ୍ରବଳ ଭିଡ ପରିଲକ୍ଷିତ ହୁଏ । ଆସନ୍ତାକାଲି ପଣାସଂକ୍ରାନ୍ତି ଥିବାରୁ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତା କାଲି ଦୁଇ ଦିନ ପାଇଁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଛି । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଅନୁଷ୍ଠିତ ହେଉଛି ।

ଅନ୍ୟପଟେ କୋଭିଡ କଟକଣା ଭିତରେ ଚାଲିଛି କାକଟପୁର ବାସିନୀ ମା ମଙ୍ଗଳାଙ୍କ ତୃତୀୟପାଳି ଝାମୁଯାତ୍ରା । କିନ୍ତୁ ଯାତ୍ରା ଉପରେ ପ୍ରଶାସନିକ କଟକଣା ଯୋଗୁଁ ତିନିଟି ପାଳି ହେବ ସବୁ କିଛି ଭକ୍ତ ଶୂନ୍ୟ ଭାବେ ଚାଲିଛି । ମନ୍ଦିର ରାସ୍ତାକୁ କାକଟପୁର ଥାନା ପୋଲିସ ସିଲ କରି ପଇଁତରା ମାରୁଛି । କଟକଣା ପାଇଁ ମାନସିକଧାରୀ ମହିଳାମାନେ ମନ୍ଦିର ନ ଆସି ନିଜର ଗାଁ ଦାଣ୍ଡରେ ମା ଙ୍କ ଉଦ୍ଦେଶ୍ୟରେ ପନ୍ଥେଇ ପୂଜା କରିଛନ୍ତି । ଏହି ପନ୍ଥେଇ ନିକଟରେ ମାନସିକ ଗୁଆ ନଡିଆ ବସାଇ ନିଜ ପରିବାରର ଶୁଭ ମନାସିଛନ୍ତି । ମହିଳାଙ୍କ ହୁଳହୁଳିରେ କଂପି ଉଠିଛି ଗାଁ ଦାଣ୍ଡ ।

ଓଡିଆ ନବବର୍ଷ ଓ ଝାମୁଯାତ୍ରାକୁ ନଜରରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଜିଲ୍ଲାର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି କରିଛନ୍ତି । ମା ଶାରଳାପୀଠ, ଗୋରଖନାଥ, ଧାନକୁଦ, ଗ୍ରାମେଶ୍ୱର ମହାଦେବ ମା ଭାଗବତୀ, ମୁଚୁକୁନ୍ଦ ମହାଦେବ, ନୀଳକଣ୍ଠସ୍ୱର ମହାଦେବଙ୍କ ସମେତ ଅନ୍ୟ ମନ୍ଦିର ମାନଙ୍କରେ ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଲାଗୁ ହୋଇଛି ୧୪୪ ଧାରା ।