ଦେଶର ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି ଚିନ୍ତାଜନକ । ପାର୍ବଣ ସମୟରେ କଟକଣା ଲଗାଇପାରେ କେନ୍ଦ୍ର ।

91

କନକ ବ୍ୟୁରୋ : ଆଗକୁ ପାର୍ବଣ ଋତୁ ଥିବାରୁ ଦେଶରେ ପୁଣି କରୋନା ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଛି । ଏପରିକି ଏହା ୩ୟ ଲହର ଆସିବାକୁ ସହାୟକ ହେବ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଜି କରୋନା କଟକଣାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଅଳ୍ପ କେତେକ ରାଜ୍ୟକୁ ଛାଡ଼ିଦେଲେ ଦେଶରେ ସଂକ୍ରମଣର ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି । ଏହା ସତ୍ତେ୍ୱ ଆମକୁ ସତର୍କ ରହିବାକୁ ପଡ଼ିବ । ସେସବୁ ଜିଲ୍ଲାରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସଂପୃକ୍ତ ରାଜ୍ୟ ସରକାରମାନେ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ଆଗାମୀ ପାର୍ବଣ ସମୟରେ ଯେପରି ଅଧିକ ଜନଗହଳି ନ ହୁଏ ସେଥିଲାଗି ପଦକ୍ଷେପ ନେବାକୁ ସେ କହିଛନ୍ତି । ଆବଶ୍ୟକ ପଡ଼ିଲେ ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣା ଲାଗୁ କରିବାକୁ କୁହାଯାଇଛି । ସେହିପରି ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକମାନେ ଯେପରି କରୋନା କଟକଣାକୁ ପାଳନ କରିବେ ତାହାକୁ ନିଶ୍ଚିତ କରିବାକୁ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ କେରଳ ଓ ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ସାରା ଦେଶରେ ଦିନକୁ ଯେତିକି ନୂଆ ଆକ୍ରାନ୍ତ ବାହାରୁଛନ୍ତି, ତାହାର ଅଧା କେରଳରେ ଚିହ୍ନଟ ହେଉଛନ୍ତି ।