ମାଲକାନଗିରି ଜିଲ୍ଲାକୁ ଫେରିଲା କରୋନା କଟକଣା । ଦୋକାନୀ ଓ ଗ୍ରାହକଙ୍କୁ ମାସ୍କ ବାଧ୍ୟତାମୂଳକ ।

140

କନକ ବ୍ୟୁରୋ: ରାଜ୍ୟରେ କରୋନାର ଗ୍ରାଫ୍ ଉପରମୁହାଁ ହୋଇ ଗତି କରୁଥିବାବେଳେ ମାଲକାନଗିରି ଜିଲ୍ଲାକୁ ପୁଣି ଫେରିଛି କରୋନା କଟକଣା । ଏଣିକି ଜନଗହଳି ପୂର୍ଣ୍ଣ ଅଂଚଳକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରିଛି ମାଲକାନଗିରି  ଜିଲ୍ଲା ପ୍ରଶାସନ । ଏହାସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ହାଣ୍ଡୱାସ୍ ଓ ସାନିଟାଇଜର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । କେବଳ ସେତିକି ନୁହେଁ, ହୋଟେଲ, ରେଷ୍ଟୁରାଣ୍ଟରେ ଭିଡ୍ ନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଏହାବାଦ ମାଲକାନଗିରିରେ ଧର୍ମୀୟ ଅନୁଷ୍ଠାନରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ତା ସହ ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାନିଯାତ୍ରାକୁ ବାରଣ କରାଯାଇଛି । ରାଜ୍ୟରେ କରୋନା ଗ୍ରାଫ୍ ବଢୁଥିବାବେଳେ ପୁଣି ନିୟମ କଡାକଡି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ତେବେ ଏହି ନିୟମ ଭାଙ୍ଗିଲେ ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।